Categories: ଖେଳ

ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ସାଇନାଙ୍କ ଚମକ

ଭୁବନେଶ୍ୱର, ୧୦।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ୍‌) ସାଇନା ସାଲୋନିକା ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ଚମକ ଦେଖାଇଛନ୍ତି। ସାଇନାଙ୍କ ନେତୃତ୍ୱରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦଳ ଉତ୍ତରାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ସାଇନା ସମ୍ପ୍ରତି ମିରାଣ୍ଡା ହାଉସ କଲେଜରେ ଅଧ୍ୟୟନ କରୁଛନ୍ତି। ତାଙ୍କ ସମେତ ଶ୍ରୀମତି ଆର., ଆରୁଷୀ କୋଟଓ୍ବାଲ, ତନିସ୍କା କୋଟିଆ, ପୂର୍ଣ୍ଣିମା ଗୁପ୍ତା ଓ ପଲକିନ କୌର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦଳର ସଦସ୍ୟା ଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦଳ ସମସ୍ତ ୫ଟି ଯାକ ମ୍ୟାଚରେ ବିଜୟୀ ହୋଇଥିଲା। ୫ ମ୍ୟାଚରୁ ସାଇନା ୪ଟିରେ ପ୍ରତିନିଧିତ୍ୱ କରିଥିଲେ ଏବଂ ଅନ୍ୟ ମ୍ୟାଚରେ ରିଜର୍ଭ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦଳରେ ସାଇନା ଏକମାତ୍ର ଡବ୍ଲ୍ୟୁଆଇଏମ୍‌ ଏବଂ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ (୨୨୨୩ ରେଟିଂ) ଖେଳାଳି ଥିଲେ। ପ୍ରତିଯୋଗିତାରେ ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଓ ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲା। ଏହା ପୂର୍ବରୁ ଅନୁଷ୍ଠିତ ଆନ୍ତଃ କଲେଜ ଚେସ୍‌ ଟୁର୍ନାମେଣ୍ଟରେ ସାଇନା ମିରାଣ୍ଡା ହାଉସ କଲେଜକୁ ବ୍ରୋଞ୍ଜ ପଦକ ବିଜୟୀ କରାଇଥିଲେ। ଏଥିରେ ମିରାଣ୍ଡା ହାଉସ କଲେଜ ୩ ମ୍ୟାଚ ଜିତିଥିବାବେଳେ ଗୋଟିଏ ଡ୍ର ରଖିଥିଲା ଏବଂ ଅନ୍ୟଟିରେ ପରାଜିତ ହୋଇଥିଲା। ତେବେ ସାଇନା ଖେଳିଥିବା ସମସ୍ତ ୫ଟି ଯାକ ଗେମ୍‌ରେ ବିଜୟୀ ହୋଇଥିଲେ। ଏପରି ସଫଳତା ପାଇଁ ସାଇନାଙ୍କୁ ମିରାଣ୍ଡା ହାଉସ କଲେଜ ଫ୍ରିନ୍ସିପାଲ ବିଜୟଲକ୍ଷ୍ମୀ ନନ୍ଦ, କ୍ରୀଡ଼ା ନିର୍ଦ୍ଦେଶକ ଅମ୍ରିତା ରାଣା ଓ କ୍ରୀଡ଼ା ସଂଯୋଜକ ନିରୁ ଯାଦବ ଅଭିନନ୍ଦନ ଜଣାଇଛନ୍ତି।

Share