ଅଯୋଧ୍ୟା,୧୮।୮: ଗାୟିକା ଲତା ମଙ୍ଗେସ୍କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଯୋଧ୍ୟାରେ ତାଙ୍କ ନାମରେ ଏକ ଚୌକ ନିର୍ମାଣ ହେଉଥିବା ବେଳେ ସ୍ଥାନୀୟ ସାଧୁସନ୍ଥ ଏହାର ବିରୋଧ କରିଛନ୍ତି। ମହନ୍ତ କମଳନୟନ ଦାସଙ୍କ ଉପସ୍ଥିତିରେ ମଣିରାମ ଦାସ ଛାଭ୍ନିଠାରେ ଅନୁଷ୍ଠିତ ଏକ ବୈଠକରେ ସନ୍ଥମାନେ ଗାୟିକାଙ୍କ ସ୍ମୃତି ଚୌକ ନିର୍ମାଣ ନିଷ୍ପତ୍ତିର ବିରୋଧ କରିଥିଲେ।
ରାମାନନ୍ଦ ସମ୍ପ୍ରଦାୟର ଆଚାର୍ଯ୍ୟ ରାମାନନ୍ଦାଚାର୍ଯ୍ୟଙ୍କ ନାମ ଅନୁସାରେ ଉକ୍ତ ଚୌକ୍ର ନାମକରଣ କରାଯିବା ଲାଗି ସନ୍ଥ ଦାବି କରିଛନ୍ତି। ଲତାଙ୍କ ସ୍ମୃତି ଚୌକ ନିର୍ମାଣକୁ ସେମାନେ ବିରୋଧ କରୁନାହାନ୍ତି, ତେବେ ତାହା ଅନ୍ୟ କୌଣସି ସ୍ଥାନରେ ନିର୍ମାଣ କରାଯାଉ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ସନ୍ଥମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଲତାଙ୍କ ପରଲୋକ ପରେ ତାଙ୍କ ସ୍ମୃତିରେ ଏକ ଚୌକ ନିର୍ମାଣ କରିବା ଲାଗି ଉତ୍ତରପ୍ରଦେଶ ସରକାର ଘୋଷଣା କରିଥିଲେ।