Advertisement
Categories: ଜାତୀୟ

ସମ୍ବିଧାନ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡିଲା ମହଙ୍ଗା: ଇସ୍ତଫା ଦେଲେ ମନ୍ତ୍ରୀ

ଥିରୁଭାନନ୍ତପୁରମ,୬।୭: ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପଡିଥିବା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ନେତା ତଥା କେରଳର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସାଜି ଚେରିୟନ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଚେରିୟନ କହିଛନ୍ତି, ମୁଁ ଇସ୍ତଫା ଦେଇ ଦେଇଛି ଏବଂ ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ମୁଁ କେବେ ବି ସମ୍ବିଧାନକୁ ବଦନାମ କରି ନାହିଁ।
ସୂଚନାଯୋଗ୍ୟ, ଚେରିୟନ ପଥାନଥିଟା ଜିଲାର ମଲ୍ଲାପଲ୍ଲୀରେ ନିକଟରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ସମ୍ଭିଧାନକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଆମେ ସମସ୍ତେ କୁହନ୍ତି ଆମ ପାଖରେ ସବୁଠୁ ଭଲ ସମ୍ବିଧାନ ରହିଛି। ମାତ୍ର ମୁଁ କହୁଛି, ସମ୍ବିଧାନ ଏହିପରି ଲେଖା ହୋଇଛି ଯେ, ଯାହାକୁ ବ୍ୟବହାର କରି ଦେଶବାସୀଙ୍କଠାରୁ ଲୁଟ୍‌ କରାଯାଇ ପାରିବ। ସମ୍ବିଧାନର ସଙ୍କଳନ ବ୍ରିଟିଶ ସରକାରଙ୍କ ଦାରା କରାଯାଇଥିଲା। ଆଉ ଭାରତୀୟମାନେ ସେହି ରୂପରେ ସମ୍ବିଧାନକୁ ଲେଖି ଦେଲେ। ଗତ ୭୫ ବର୍ଷ ଧରି ଦେଶ ସେହି ସମ୍ବିଧାନ ଚାଲିଛି।
ଚେରିୟନଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା। ବିରୋଧୀ ତାଙ୍କ ଇସ୍ତଫା ଦାବିରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। କିନ୍ତୁ ପରେ ସେ ନିଜ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସମ୍ବିଧାନ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ତାଙ୍କ ମନ୍ତବ୍ୟକୁ ଅତିରଞ୍ଜିତ କରି ଖବର ପ୍ରସାରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share