ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୋଦିଙ୍କ ଉଦ୍ଦେଶ୍ୟରେ ଟୁଇଟ କଲେ ଶ୍ରୀଲଙ୍କା ନେତା ସାଜିଥ ପ୍ରେମଦାସା

କଲମ୍ବୋ,୨୦ ।୭: ଶ୍ରୀଲଙ୍କାରେ ୨୦ ଜୁଲାଇ ଅର୍ଥାତ୍ ବୁଧବାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନର ଠିକ୍ ପୂର୍ବରୁ ରାଷ୍ଟ୍ରପତି ପଦ ପାଇଁ ମଜଭୁତ ଦାବିଦାର ଥିବା ବିରୋଧୀ ନେତା ସାଜିଥ ପ୍ରେମଦାସା ଏହି ରେସରୁ ନିଜକୁ ବାହାର କରି ନେଇଛନ୍ତି । ଆଉ କହିଛନ୍ତି ମୁଁ ରାଷ୍ଟ୍ରପତି ପଦ ପାଇଁ ମୋର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରୁଛି । ଆହୁରି ମଧ୍ୟ କହିଛନ୍ତି ଆମର ବିରୋଧୀ ସହଯୋଗୀ ଏହି ଦିଗରେ ଖୁବ୍ ପରିଶ୍ରମ କରିବେ ।
ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ପ୍ରେମଦାସା ଟୁଇଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କାଲି ଶ୍ରୀଲଙ୍କାର ରାଷ୍ଟ୍ରପତି ଯିଏ ବି ହୁଅନ୍ତୁ, ମୋର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିନମ୍ର ଓ ହାର୍ଦ୍ଦିକ ଅନୁରୋଧ ସେ ଶ୍ରୀଲଙ୍କାକୁ ସହାୟତା ଯୋଗାଇବା ଜାରି ରଖିବେ । ସେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଭାରତର ସମସ୍ତ ରାଜନୈତିକ ଦଳ, ଭାରତବାସୀ ସମସ୍ତଙ୍କୁ ମୋର ଅନୁରୋଧ ଏହି କଷ୍ଟକର ପରିସ୍ଥିତିରୁ ମା’ ଲଙ୍କା ଓ ତା’ର ଲୋକମାନଙ୍କୁ ବାହାର କରିବାକୁ ସହଯୋଗ କରୁଥାଆନ୍ତୁ ।
ସାଜିଥ ପ୍ରେମଦାସା ରବିବାର ଦେଇଥିବା ବୟାନରେ ଭାରତର ସହଯୋଗକୁ ପ୍ରଶଂସା କରିବା ସହ କହିଥିଲେ ଭାରତଠାରୁ ସହଯୋଗ ଓ ସମର୍ଥନ ମାଗିବା ଜାରି ରଖିବେ । ଭାରତ ଏପର୍ଯ୍ୟନ୍ତ ଶ୍ରୀଲଙ୍କାକୁ ୩.୮ ଅରବ ଡଲାର ସହାୟତା ଯୋଗାଇ ଦେଲାଣି ।

Share