ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସଜ୍ଜନ ଶର୍ମା

ଭୁବନେଶ୍ୱର, ୨୮।୬(ସୁନିତ୍‌ ମିଶ୍ର):ବିଜେଡି ୨୪ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ସତ୍ତ୍ୱେ ରାଜ୍ୟର ସାମୂହିକ ସ୍ବାର୍ଥକୁ ଅଣଦେଖା କରି ଚାଲିଥିଲା। ଫଳସ୍ବରୂପ ଓଡ଼ିଶାର ବିକାଶ ବାଧାପ୍ରାପ୍ତ ହେଲା। ଦୁର୍ନୀତି, ଭ୍ରଷ୍ଟାଚାରରେ ଲିପ୍ତ ବିଜେଡି ସରକାରର ମନ୍ତ୍ରୀ ଓ ନେତାମାନେ ସ୍ବର୍ଣ୍ଣଗର୍ଭା ଓଡ଼ିଶାକୁ ଲୁଟ୍‌ କରିଛନ୍ତି। ବିଜେଡି ଶାସନରେ ଅଣନିଃଶ୍ୱାସୀ ରାଜ୍ୟବାସୀ ପରିବର୍ତ୍ତନ ମୁହଁା ହୋଇ ଭାଜପାକୁ ଶାସନ ଭାର ଦେଲେ। ବର୍ତ୍ତମାନ ଯେତେବେଳେ ଧୀରେ ଧୀରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ଅସଲ ମୁଖା ସାମ୍ନାକୁ ଆସୁଛି, ବିବ୍ରତ ହୋଇ ବିଜେଡିର ନେତାମାନେ ଗଣମାଧ୍ୟମକୁ ପୁଣି ଥରେ ବିଭ୍ରାନ୍ତ ବକ୍ତବ୍ୟ ଦେଇ ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଭାଜପା ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି। ଭାଜପା ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇ ସଜ୍ଜନ କହିଛନ୍ତି, ଦୀର୍ଘ ବର୍ଷ ଧରି ବିଜେଡି ସରକାର ଶୋଇ ରହିଥିଲା। ଦୂରଦୃଷ୍ଟି ଅଭାବରୁ ବିଜେଡି ସରକାର ହୀରାକୁଦ ନଦୀବନ୍ଧର ତଳଭାଗରେ ଗୋଟିଏ ହେଲେ ବନ୍ଧ ନିର୍ମାଣ କରିପାରିଲେ ନାହିଁ। କେବଳ ମହାନଦୀ ନୁହେଁ, ରାଜ୍ୟର କୌଣସି ଗୋଟିଏ ନଦୀରେ ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ କରିପାରିଲେ ନାହିଁ। ଜଳସେଚନ, ଜଳ ସଂରକ୍ଷଣ ପାଇଁ ଆସିଥିବା ଲକ୍ଷାଧିକ କୋଟି ଟଙ୍କା ବାଟମାରଣା କରାଗଲା। ସବୁଜ ମହାନଦୀ ବାବଦରେ ବନୀକରଣ ପାଇଁ ଆସିଥିବା ଶତାଧିକ କୋଟି ଟଙ୍କାକୁ ଚଳୁ କରିଦେଇଛନ୍ତି। ନବୀନବାବୁ ନିଜେ ଆଲୋଚନାରୁ ଦୂରେଇ ଯାଇ ଟ୍ରିବ୍ୟୁନାଲକୁ ଯାଇଛନ୍ତି, ଭାଜପା ଓଡ଼ିଶାର ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସଜ୍ଜନ କହିଛନ୍ତି।

Share