Categories: ଜାତୀୟ

ସାଜ୍ଜିଦ୍‌ ମୀର୍‌ ଆଇଏସ୍‌ଆଇ ସୁରକ୍ଷାରେ

ନୂଆଦିଲ୍ଲୀ,୨୯ା୬(ପି.ଟି.): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୬/୧୧)ର ମୁଖ୍ୟ ଯୋଜନା ପ୍ରସ୍ତୁତକାରୀ ସାଜ୍ଜିଦ୍‌ ମୀର୍‌ ଓରଫ ମଜିଦ୍‌ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ସୁରକ୍ଷା ଯୋଗାଇ ଦେଉଛି। ସେହିପରି ଗତବର୍ଷ ପୁଲ୍‌ଓ୍ବାମା ଆକ୍ରମଣ ସହ ସମ୍ପୃକ୍ତ ଜୈଶ୍‌-ଇ-ମହମ୍ମଦ ମାଷ୍ଟରମାଇଣ୍ଡ ମାସୁଦ୍‌ ଆଝାରଙ୍କ ବିରୋଧରେ ମଧ୍ୟ ଇସ୍‌ଲାମାବାଦ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଆମେରିକାର ବାର୍ଷିକ ଆତଙ୍କବାଦ ରିପୋର୍ଟରେ ଅଭିଯୋଗ କରାଯାଇଛି। ଉଭୟେ ପାକିସ୍ତାନରେ ନାହାନ୍ତି ବୋଲି ଇମ୍ରାନ୍‌ ଖାନ୍‌ ସରକାର କହିଆସୁଛନ୍ତି। ମୀର ଓ ଆଝାର ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ସର୍ବୋଚ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାକିସ୍ତାନରେ ରହୁଛନ୍ତି। ଡାଭିଡ୍‌ କୋଲେମାନ ହେଡଲିକୁ ପରିଚାଳିତ କରୁଥିବା ମୀର୍‌ ରାଓ୍ବଲପିଣ୍ଡିର ଆଡିଆଲା ଜେଲ୍‌ ରୋଡ ଅନ୍ତର୍ଗତ ଗାର୍ଡେନ ଭିଲ୍ଲା ହାଉସିଂ ସୋସାଇଟି କିମ୍ବା ଲାହୋରର ଗଣ୍ଡା ନାଲା ଅଞ୍ଚଳ ଅଥବା ଲାହୋର ଅଲ୍‌ ଫୈଜଲ ଟାଉନ୍‌ର ୨୭, ସି-ବ୍ଲକ୍‌ରେ ରହୁଥିବା କୁହାଯାଉଛି। ମୀର୍‌ଙ୍କ ମୁଣ୍ଡ ପାଇଁ ୫ ନିୟୁତ ଡଲାର ପୁରସ୍କାର ଘୋଷଣା ହୋଇଥିଲା। ସେ ବିଦେଶରେ ଲଶ୍କର ସଂଗଠନ ପାଇଁ ଆତଙ୍କବାଦୀ ନିଯୁକ୍ତ କରିବା ସହ ପାକିସ୍ତାନ ଟ୍ରେନିଂ କ୍ୟାମ୍ପ୍‌ରେ ଆତଙ୍କବାଦୀମାନଙ୍କୁ ତାଲିମ ଦେଉଥିଲେ। ଏଥିସହିତ ସେ ଆଇଏସ୍‌ଆଇର ଇଣ୍ଡିଆନ୍‌ ମୁଜାହିଦ୍ଦିନ ଅପରେଶନର ଅଂଶବିଶେଷ ଥିଲେ। ୨୬/୧୧ ଆକ୍ରମଣ ପରେ ମୀର୍‌ ନିଜର ପ୍ଲାଷ୍ଟିକ୍‌ ସର୍ଜରି କରାଇଥିଲେ।

Share