Categories: ଜାତୀୟ

ଟୁଇଟ୍‌ ହଟାଇବାକୁ ସାକେତଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪ା୭: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ତଥା ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟୁଇଟ୍‌ ହଟାଇବା ପାଇଁ ସାମାଜିକ କର୍ମୀ ସାକେତ ଗୋଖଲେଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀ ତାଙ୍କ ଆୟ ବାହାରେ ବେଆଇନ ଭାବେ ସୁଇଜରଲାଣ୍ଡରେ ଘର କିଣିଥିବା ନେଇ ସାକେତ ଗତ ମାସରେ ଏକ ଟୁଇଟ କରିଥିଲେ। ଉକ୍ତ ଟୁଇଟ୍‌ ମିଥ୍ୟା ତଥ୍ୟ ଉପରେ ଆଧାରିତ ଏବଂ ଏହା ତାଙ୍କ ମାନହାନି କରୁଥିବା ଅଭିଯୋଗ ଆଣି ଲକ୍ଷ୍ମୀ ପୁରୀ ଲ’ ଫାର୍ମ କରଞ୍ଜାଓ୍ବାଲା ଆଣ୍ଡ୍‌ କୋ ଜରିଆରେ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ସାକେତ ତୁରନ୍ତ ଉକ୍ତ ଟୁଇଟ ହଟାଇବା ସହ କ୍ଷତିପୂରଣ ବାବଦକୁ ୫ କୋଟି ଟଙ୍କା ଦିଅନ୍ତୁ ବୋଲି ଲକ୍ଷ୍ମୀ ଦାବି କରିଥିଲେ। ସାକେତ ୨୪ ଘଣ୍ଟା ମଧ୍ୟରେ ଟୁଇଟ ନ ହଟାଇଲେ ଟୁଇଟର ତାହାକୁ ନିଜ ଆଡ଼ୁ ଡିଲିଟ କରିବାକୁ ଜଷ୍ଟିସ୍‌ ସି. ହରି ଶଙ୍କର ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀ ଓ ତାଙ୍କ ସ୍ବାମୀଙ୍କ ବିରୋଧରେ ଅନ୍ୟ କୌଣସି ପ୍ଲାଟଫର୍ମରେ ମଧ୍ୟ ମାନହାନି ହେଉଥିବା ଭଳି ପୋଷ୍ଟ କରିବାକୁ କୋର୍ଟ ସାକେତଙ୍କୁ ବାରଣ କରିଛନ୍ତି।

Share