ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ରାଜିନାମା ଚୂଡାନ୍ତ ହୋଇଯାଇଛି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ (ଆଇବିଏ), ବ୍ୟାଙ୍କ ସଂଘ ଏବଂ ଅଧିକାରୀ ସଂଘଗୁଡିକ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ପ୍ରକ୍ରିୟା ୩ ବର୍ଷ ଧରି ଜାରି ରହିଥିଲା। ୧୫% ବାର୍ଷିକ ବେତନ ବୃଦ୍ଧି ନେଇ ଜୁଲାଇ ୨୨ରେ ଆଇବିଏ ଏବଂ ସଂଘଗୁଡିକ ମଧ୍ୟରେ ଏମ୍ଓୟୁ ହୋଇଥିଲା। ପିଛିଲା ଭାବେ ୨୦୧୭ ନଭେମ୍ବର ପହିଲାରୁ ନୂଆ ନିୟମ ଲାଗୁ ହେବ ବୋଲି ବ୍ୟାଙ୍କ ସଂଘଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଏହି ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦିଆଯାଇଛି। କର୍ମଚାରୀମାନେ ସେମାନଙ୍କ ପେ ସ୍ଲିପ୍ରେ ୧୫% ବେତନ ବୃଦ୍ଧି ସହ ପାଇବେ ବୋଲି ଆଇବିଏର ଚିଫ୍ ଏକଜିକ୍ୟୁଟିଭ ସୁନୀଲ ମେହେଟା ସୂଚନା ଦେଇଛନ୍ତି। ସଂଘଗୁଡିକ ମଧ୍ୟରେ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ(ୟୁଏଫ୍ବିୟୁ) ରହିଛି। ଏହା ମଧ୍ୟରେ ୪ ଅଧିକାରୀ ଏବଂ ୪ କର୍ମଚାରୀ ସଂଘ ରହିଛି। ସେହିଭଳି ବ୍ୟାଙ୍କ କର୍ମଚାରୀ ସେନା ମହାସଂଘ ଚୁକ୍ତିର ପକ୍ଷଭୁକ୍ତ ହୋଇଛି। ନୂଆ ବେତନ ସଂଶୋଧନ ଦ୍ୱାରା ବ୍ୟାଙ୍କଗୁଡିକୁ ୭୮୯୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସେହିଭଳି ଚଳିତ ବର୍ଷରୁ ପରଫରମାନ୍ସ ସଂଯୋଗୀ ପ୍ରୋତ୍ସାହନ ବ୍ୟବସ୍ଥା (ପିଏଲ୍ଆଇ) ଲାଗୁ କରିବା ଲାଗି ଆଇବିଏ ଲକ୍ଷ୍ୟ ରଖିଛି। ଏହା ବ୍ୟାଙ୍କଗୁଡିକର ପରିଚାଳନା ଲାଭ ଏବଂ ନେଟ ଲାଭ ଉପରେ ପର୍ଯ୍ୟବସିତ ହେବ। ପିଏଲ୍ଆଇକୁ ଘରୋଇ ବ୍ୟାଙ୍କଗୁଡିକ ଲାଗି ଇଚ୍ଛାଧୀନ କରାଯାଇଛି। ଏଭଳି ପଦକ୍ଷେପକୁ ଏଆଇବିଓସିର ରାଜ୍ୟ ସଭାପତି ଦାମୋଦର ନନ୍ଦ ସ୍ବାଗତ ଜଣାଇଛନ୍ତି।