ମୁମ୍ବାଇ,୨୩।୨: ପତଞ୍ଜଳିର କରୋନିଲ ଟ୍ୟାବଲେଟ ଆବଶ୍ୟକୀୟ ମାନ୍ୟତା ବିନା ମହାରାଷ୍ଟ୍ରରେ ବିକ୍ରି ହୋଇପାରିବ ନାହିଁ। ଏ ନେଇ ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି। ଏହି ଟ୍ୟାବଲେଟ କରୋନା ଉପରେ ପ୍ରଭାବଶାଳୀ ଓ ଏହାକୁ ଡବ୍ଲ୍ୟୁଏଚ୍ଓ ମାନ୍ୟତା ମିଳିଥିବା ପତଞ୍ଜଳି ପକ୍ଷରୁ ଦାବି କରାଯାଇଛି। ହେଲେ ଏହା ଉପରେ ପ୍ରଶ୍ନ ଉଠାଇଛି ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍ଏ)। ଏ ସମ୍ପର୍କରେ ଆଇଏମ୍ଏ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କଠାରୁ ଉତ୍ତର ମଧ୍ୟ ମାଗିଛି। କାରଣ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କରୋନିଲ ଲଞ୍ଚ ହୋଇଥିଲା।
କୋଭିଡ୍-୧୯ ଉପରେ ଏହି ପାରମ୍ପରିକ ମେଡିସିନର ପ୍ରଭାବ ଜାଣିବା ପାଇଁ କୌଣସି କ୍ଲିନିକାଲ ଟ୍ରାଏଲ କରାଯାଇ ନ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଡବ୍ଲ୍ୟୁଏଚ୍ଓ କିମ୍ବା ଆଇଏମ୍ଏର ମାନ୍ୟତା ବିନା ମହାରାଷ୍ଟ୍ରରେ କରୋନିଲ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ।