Categories: ଜାତୀୟ

ଦୀପାବଳିରେ ଫୁଟିବ ନାହିଁ ବାଣ: ଗେହଲଟ

ଜୟପୁର,୨ ।୧୧: ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ଦେଖି ଏବେ ଲୋକଙ୍କ ଜୀବନ ବଞ୍ଚାଇବା ଏକ ଚ୍ୟାଲେଞ୍ଜ ହୋଇପଡିଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଜାରରେ ବାଣ ବିକ୍ରି ଉପରେ ନିଷେଧାଜ୍ଞା ଜାରି କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗେହଲଟ । ସୂଚନାଯୋଗ୍ୟ, ରବିବାର ଗେହଲଟ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିର ସମିକ୍ଷା କରିବା ସମୟରେ’ ନୋ ମାସ୍କ ନୋ ଏଣ୍ଟ୍ରି’ ତଥା ‘ସୁଦ୍ଧ ପାଇଁ ଯୁଦ୍ଧ’ ଅଭିଯାନର ସମିକ୍ଷା କରିଛନ୍ତି । ଏହି ସମୟରେ ସେ ଅନଲକ୍‌-୬ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ସମୟରେ ସେ କହିଥିଲେ ବାଣ ଫୁଟାଇବା ଯୋଗୁ ଯେଉଁ ପ୍ରଦୂଷଣ ସୃଷ୍ଟି ହେବ ତାହା କରୋନା ସଂକ୍ରମିତ ତଥା ସୁସ୍ଥ ଜନତାଙ୍କ ପାଇଁ ମଧ୍ୟ କ୍ଷତିକାରକ । ତେଣୁ ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି କରାଯାଇ ପାରିବ ନାହିଁ । ଏହା ବ୍ୟତୀତ ଯେଉଁ ଗାଡିର ଫିଟନେସ୍ ପ୍ରମାଣପତ୍ର ନ ଥାଇ ଅଧିକ ଧୂଆଁ ନିର୍ଗତ କରୁଥିବା ସେମାନଙ୍କ ଉପରେ ମଧ୍ୟ କଠୋର ଦଣ୍ଡ ବ୍ୟବସ୍ଥା କରାଯିବ । ଗେହଲଟଙ୍କ ମତରେ ବାଣ ଫୁଟିଲେ ଯେଉଁ ଧୂଆ ବାହାରିବ ତାହା କେବଳ କରୋନା ସଂକ୍ରମିତଙ୍କ ପାଇଁ ନୁହେଁ ବରଂ ହୃଦରୋଗୀ ଓ ଶ୍ୱାସରୋଗୀଙ୍କ ପାଇଁ କ୍ଷତିକାରକ । ତେଣୁ କେବଳ ଦୀପାବଳି ନୁହେଁ ବିବାହ ଭଳି ଉତ୍ସବରେ ମଧ୍ୟ ବାଣ ଫୁଟାଯାଇ ପାରିବ ନାହିଁ । କାରଣ ଏବେ ରାଜ୍ୟବାସୀଙ୍କ ଜୀବନ ଏହାଠାରୁ ମୂଲ୍ୟବାନ ।

Share