ସନ୍ୟାସ ନିଅନ୍ତୁ ଅମିତାଭ, ତାଙ୍କ ପାଇଁ ଆଉ କାହାଣୀ ନାହିଁ: ସଲିମ ଖାନ୍‌

ବମ୍ବେ: ମହାନ ଲେଖକ ସଲିମ ଖାନ୍‌ ଏବଂ ମେଗାଷ୍ଟାର ଅମିତାଭ ବଚ୍ଚନ ଏକାଠି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସେଥିରେ ରହିଛି ‘ଶୋଲେ, ଦିଓ୍ବାର, ଡନ୍‌, ତ୍ରୀଶୁଳ, କାଲା ପତ୍ଥର’ ଭଳି ଦଶରୁ ଅଧିକ ଫିଲ୍ମ। ଏବେ କିନ୍ତୁ ଅମିତାଭ ସନ୍ୟାସ ନିଅନ୍ତୁ ବୋଲି କହିଛନ୍ତି ସଲିମ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସଲିମ କହିଛନ୍ତି, ଅମିତାଭଙ୍କୁ ଏବେ ସନ୍ୟାସ ନେଇନେବା ଉଚିତ। ସେ ତାଙ୍କ ଜୀବନରେ ବହୁତ କିଛି ହାସଲ କରିନେଇଛନ୍ତି। ଏବେ କିଛି ବର୍ଷ ନିଜ ପାଇଁ ମଧ୍ୟ ରଖିବା ଉଚିତ। କର୍ମମୟ ଜୀବନରେ ସେ ବହୁତ ଭଲ ଅଭିଜ୍ଞତା ହାସଲ କରିଛନ୍ତି। ସେ ଭଲ କାମ କରିଛନ୍ତି। ଏଥିପାଇଁ ତାଙ୍କୁ ସୁନ୍ଦର ଅବସର ନେଇ ଏହି ଦୌଡ଼ରୁ ମୁକ୍ତ ହେବା ଉଚିତ।

ଜଣେ ବ୍ୟକ୍ତିକୁ ନିଜର ଇଚ୍ଛା ଅନୁସାରେ ଜୀବନରେ ଆନନ୍ଦ ନେବା ଲାଗି ଅବସର ନେବା ଆବଶ୍ୟକ। ଏଥିରେ ସେ ନିଜର ଉଦାହରଣ ଦେଇ କହିଛନ୍ତି, ମୋ ଦୁନିଆ ଏବେ ସୀମିତ। ଯେଉଁ ଲୋକଙ୍କ ସହ ଏବେ ବୁଲିବାକୁ ଯାଉଛି, ସେମାନେ ସମସ୍ତେ ଫିଲ୍ମଜଗତର ନୁହନ୍ତି। ତେବେ ଅମିତାଭ ଏଭଳି ନାୟକ ଥିଲେ ଯିଏ ଆଙ୍ଗ୍ରି ୟଙ୍ଗ ମ୍ୟାନ୍‌ ଭୂମିକା ନିର୍ବାହ କରୁଥିଲେ। ହେଲେ ତାଙ୍କ ଭଳି ଅଭିନେତାଙ୍କ ପାଇଁ ଏବେ କୌଣସି କାହାଣୀ ନାହିଁ। ଫିଲ୍ମ ବ୍ୟବସାୟ ବହୁତ ବିକଶିତ ହୋଇଥିଲେ ହେଁ ଭଲ ସ୍କ୍ରିପ୍ଟ ନାହିଁ ବୋଲି ସଲିମ ମଧ୍ୟ କହିଛନ୍ତି। ଏବେ ଏହି କଥା ଚର୍ଚ୍ଚାର ବିଷୟ ପାଲଟିଛି।

Share