Categories: ଖେଳ

ସଲିମା ‘ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର’

ନୂଆଦିଲ୍ଲୀ, ୨୫ା୩ (ପି.ଟି.): ଭାରତୀୟ ମହିଳା ହକି ଦଳର ମିଡ୍‌ଫିଲ୍ଡର ସଲିମା ଟେଟେ ଏସିଆନ ହକି ଫେଡେରେଶନ (ଏଏଚଏଫ୍‌) ‘ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ଲାଭ କରିଛନ୍ତି। ୨୦୨୨ରେ ପ୍ରଭାବୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଏଚ୍‌ଏଫ୍‌ ହକି ଇଣ୍ଡିଆ ମହାସଚିବ ଭୋଳାନାଥ ସିଂଙ୍କୁ ‘ଇମର୍ଜିଂ ସ୍ପୋଟର୍‌ସ ଲିଡର’ରେ ସମ୍ମାନିତ କରିଛି। କୋରିଆର ମୁଙ୍ଗୟୋଙ୍ଗଠାରେ ଅନୁଷ୍ଠିତ ଏଏଚ୍‌ଏଫ୍‌ର ବାର୍ଷିକା ସାଧାରଣ ବୈଠକରେ ୨୦ ବର୍ଷୀୟ ସଲିମା ଓ ଭୋଳାନାଥଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ତୟାବ ଇକ୍ରାମ ପୁରସ୍କାର ପ୍ରଦାନ କରିଥିଲେ। ”ପଡ଼ିଆରେ ଦୀର୍ଘ ବର୍ଷ ଧରି ଆମେ କଠିନ ପରିଶ୍ରମ କରି ଆସୁଛୁ। ଏହାକୁ ସ୍ବିକୃତି ପ୍ରଦାନ କରିଥିବାରୁ ଏଏଚ୍‌ଏଫ୍‌କୁ ଧନ୍ୟବାଦ। ତେବେ ଦଳୀୟ ସାଥୀ ଏବଂ କୋଚିଂ ଷ୍ଟାଫ୍‌ଙ୍କ ବିନା ଏହା ସମ୍ଭବ ହୋଇ ନ ଥାନ୍ତା“ ବୋଲି ସଲିମା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ସଲିମା ଦୀର୍ଘଦିନଧରି ଭାରତୀୟ ମହିଳା ହକି ଦଳର ଅଂଶବିଶେଷ ରହି ଆସିଛନ୍ତି। ଗତବର୍ଷ ମସ୍କଟରେ ଅନୁଷ୍ଠିତ ମହିଳା ଏସିଆ କପ୍‌ରେ ସେ ରାଇଜିଂ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ପାଇଥିଲେ। ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସଲିମା ସିନିୟର ହକି କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଆର୍ଜେଣ୍ଟିନାର ବୁଏନ୍ସ ଆରିଜଠାରେ ୨୦୧୮ରେ ଅନୁଷ୍ଠିତ ୟୁଥ୍‌ ଅଲିମ୍ପିକ୍‌ ଗେମ୍ସରେ ଭାରତକୁ ରୌପ୍ୟ ପଦକ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ୪ର୍ଥ ସ୍ଥାନ ଅଧିକାର କରିଥିବା ଭାରତୀୟ ଦଳର ମଧ୍ୟ ସେ ସଦସ୍ୟା ଥିଲେ। ଏହି ଯୁବ ମିଡ୍‌ଫିଲ୍ଡରଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଅଭିନନ୍ଦନ ଜଣାଇଛନ୍ତି।

Share