ପାଟଣା,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟଠାରେ ସେମବାର ସ୍ବାସ୍ଥ୍ୟ ସେବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ବ୍ୟସ୍ତ ବହୁଳ ୪୯ନଂ. ରାଜପଥ ପାର୍ଶ୍ୱରେ ଏକ ଔଷଧ ଦୋକାନ ବାରଣ୍ଡାରେ ଜଣେ ରୋଗୀଙ୍କୁ ଲୁହା ବେଞ୍ଚ ଉପରେ ଶୁଆଇ ଔଷଧ ଦୋକାନୀ ସାଲାଇନ ଦେଉଥିବା ଦେଖିବାକୁ ମିଳିଛି। ଦୋକାନୀ ଜଣକ ପ୍ରଚଣ୍ଡ ଗରମରେ ରୋଗୀଙ୍କୁ ଏକ ଲୁହା ବେଞ୍ଚରେ ଶୁଆଇ ସାଲାଇନ ଲଗାଇଛନ୍ତି। ବୋତଲଟି ବିପଦ ପୂର୍ଣ୍ଣ ଭାବେ ବାରଣ୍ଡା ରୁଅରେ ଝୁଲାଇ ଥିବା ଦେଖିବାକୁ ମିଳିଛି। କରୋନା କାଳରେ ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ନିୟମ କାନୁନକୁ ଉଲ୍ଲଙ୍ଘନ କରି ଅନେକ ବେଆଇନ ଔଷଧ ଦୋକାନ ସହ ପାଥୋ କ୍ଲିନିକ ଗଢି ଉଠିଛି। ଏମାନଙ୍କର ଶିକ୍ଷା ଗତ ପ୍ରମାଣ ପତ୍ର ସହ ସ୍ବୀକୃତି ପତ୍ରର ଉଚ୍ଚ ସ୍ତରୀୟ ଯାଞ୍ଚ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।