ରେକର୍ଡ ଭାଙ୍ଗିଲେ ସଲମାନ, ପ୍ରଥମଦିନରୁ ହିଟ୍‌

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ ଦୀପାବଳିରେ ରିଲିଜ ହୋଇଛି। ଏହା ପ୍ରଥମ ଦିନରୁ ହିଁ ଜବରଦସ୍ତ ହୋଇଛି। ୨୦୨୩ ଇଦ୍‌ ସଲମାନଙ୍କ ପାଇଁ ଫିକା ପଡ଼ିଥିବା ବେଳେ ଦୀପାବଳିରେ ଧମାକା କରିଛନ୍ତି। କାରଣ ଏହି ଫିଲ୍ମ ଭାରତୀୟ ସିନେମା ଇତିହାସରେ ଦୀପାବଳି ଅବସରରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଭାବେ ପରିଗଣିତ ହୋଇଛି। ଟାଇଗର-୩ର ଆନୁମାନିକ ଆୟ ପ୍ରଥମରୁ ସାମ୍ନାକୁ ଆସିଥିଲା। ମାତ୍ର ଏବେ ଫିଲ୍ମର ଫାଇନାଲ କଲେକ୍ସନ ମଧ୍ୟ ସାମ୍ନାକୁ ଆସିଛି। ଯାହା ଆନୁମାନିକ ଆୟଠାରୁ ଅଧିକ ହୋଇଛି। ଏପରିକି ସଲମାନ ଫିଲ୍ମ ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’କୁ ବି ପଛରେ ପକାଇ ଦେଇଛନ୍ତି।

ଇମ୍ରାନ ହାସ୍‌ମୀ ଏବଂ ସଲମାନ ଟାଇଗର ୩ର ଘରୋଇ ବକ୍ସ ଅଫିସର ଫାଇନାଲ କଲେକ୍ସନ ୪୪.୫୦ କୋଟିରେ ପହଞ୍ଚିଛି। ଯେଉଁଠି ହିନ୍ଦୀରେ ଫିଲ୍ମଟି ପ୍ରାୟ ୪୩ କୋଟି ଆୟ କରୁଥିବା ବେଳେ ତାମିଲରେ ଏହି ଫିଲ୍ମ ଗୋଟିଏ ଦିନରେ ପ୍ରାୟ ୨ ଲକ୍ଷ ଟଙ୍କା ରୋଜଗାର କରିଛି। ଏହା ବ୍ୟତୀତ ତେଲ୍‌ଗୁରେ ଫିଲ୍ମ ମୋଟ୍‌ ଆୟ ପ୍ରଥମ ଦିନରେ ୧.୩ କୋଟି ହୋଇଛି।

କହିରଖୁଛୁ ଟାଇଗର-୩ର କଲେକ୍ସନ ପୂର୍ବ ଦୁଇ ଫ୍ରାଞ୍ଚାଇଜ୍‌ଠୁ ବି ଅଧିକ। ‘ଏକ ଥା ଟାଇଗର’ ଓପନିଂ ଡେ’ରେ ୩୨.୯୩ କୋଟି ରୋଜଗାର କରିଥିବା ବେଳେ ‘ଟାଇଗର ଜିନ୍ଦା ହୈ’ ୩୪.୧୦ କୋଟି ରୋଜଗାର କରିଥିଲା। ଏଥିରୁ ସଲମାନ ନିଜ ରେକର୍ଡ ନିଜେ ଭାଙ୍ଗିଥିବା ଚର୍ଚ୍ଚା ହେଉଛି।

Share