କାନ୍ଦିଲେ ସଲମାନ

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଲୋକପ୍ରିୟ ଶୋ’ ବିଗ୍‌ ବସ୍‌ -୧୫ କିଛି ସମୟ ପରେ ଆରମ୍ଭ ହେବ। ଏକ ଲମ୍ବା ଯାତ୍ରାର ଶେଷରେ ଏହି ଶୋ’ ଆଗକୁ ବଢ଼ିଚାଲିଛି। ଶୋ’ ସହିତ ଜଡ଼ିତ କିଛି ଖଟା-ମିଠା ସ୍ମୃତିକୁ ପ୍ରତିଯୋଗୀମାନେ ସାଉଁଟୁଛନ୍ତି। ମାତ୍ର କିଛି କାହାଣୀ ଏମିତି ହୋଇଥାଏ, ଯାହାକୁ ଭୁଲିବା ବହୁତ କଷ୍ଟକର। ୨୦୨୧ ବର୍ଷ ବିଗ୍‌ ବସ୍‌ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଥିଲା। କାରଣ ବିଗ୍‌ ବସ୍‌ ୧୩ର ବିଜେତା ତଥା ଲୋକପ୍ରିୟ ଚେହେରା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦ୍‌ଘାତରେ ନିଧନ ହୋଇଥିଲା। ଏବେ ଶୋ’ର ଫାଇନାଲରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ। ଏହି ପରିପ୍ରେକ୍ଷୀରେ ସିଦ୍ଧାର୍ଥଙ୍କ ଯୋଡ଼ି ଶେହନାଜ ଗିଲ୍‌ ମଧ୍ୟ ଯୋଗ ଦେବେ। ଶୋ’ର ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଯେଉଁଥିରେ ସଲମାନ୍‌ ଏବଂ ଶେହନାଜ ବହୁତ ଭାବୁକ ହୋଇଥିବା ନଜର ଆସିଛନ୍ତି।

କଲର୍ସ ଟିଭି ପକ୍ଷରୁ ବିଗ୍‌ ବସ୍‌ ୧୫ର ଏକ ନୂଆ ପ୍ରୋମୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି, ସଲମାନ ଶୋ’ରେ ପୂର୍ବ ପ୍ରତିଯୋଗୀ ଏବଂ ସିଦ୍ଧାର୍ଥଙ୍କ ବନ୍ଧୁ ଶେହନାଜଙ୍କୁ ସ୍ବାଗତ କରୁଛନ୍ତି। ଶେହନାଜ ଯେମିତି ସଲମାନଙ୍କୁ ଦେଖିଛନ୍ତି ସେମିତି ବହୁତ ଭାବପ୍ରବଣ ହୋଇଯାଇଛନ୍ତି। ସେ ନିଜକୁ ରୋକି ପାରିନାହାନ୍ତି। ସଲମାନଙ୍କୁ ଧରି ଖୁବ୍‌ କାନ୍ଦୁଛନ୍ତି। ସଲମାନ ମଧ୍ୟ ବହୁତ ଭାବପ୍ରବଣ ହୋଇଥିବା ନଜର ଆସିଛନ୍ତି। ତାଙ୍କ ଆଖିରୁ ଲୁହ ଝରୁଥିବା ଦେଖିବାକୁ ମିଳିଛି। ଦୁଇଜଣ ଭାବୁକ ହୋଇଛନ୍ତି। ସିଦ୍ଧାର୍ଥଙ୍କୁ ମନେ ପକାଇ ଦୁହେଁ ଖୁବ୍‌ କାନ୍ଦୁଛନ୍ତି।

Share