ଶୁଟିଂ ସେଟ୍‌ରେ ୩୦ ପଟ ରୁଟି ଖାଉଥିଲେ ସଲମାନ

ମୁମ୍ବାଇ: ସଲମାନ ଖାଁଙ୍କ ସୁପରହିଟ୍ ଫିଲ୍ମ ‘ମେନେ ପ୍ୟାର କିୟା’କୁ ରିଲିଜ୍ ହେବା ୩୧ ବର୍ଷ ପୂରଣ ହୋଇଛି । ସଲମାନ ପ୍ରଥମ କରି ଏହି ଫିଲ୍ମରେ ଲିଡ୍ ରୋଲରେ ଦେଖାଦେଇଥିଲେ । ଆଉ ଏହି ଫିଲ୍ମରୁ ହିଁ ତାଙ୍କର ଏକ ସ୍ୱତନ୍ତ୍ର ପରିଚ୍ରୟ ସୃଷ୍ଟି ହୋଇଥିଲା । ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କର ଏହା ଥିଲା ଡେବ୍ୟୁ ଫିଲ୍ମ । ସୁରଜ ବଡଜାତୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଶୁଟିଂ ସମୟର ଏକ କାହାଣୀ ଖୁମ୍ ରୋମାଞ୍ଚକର ଥିଲା । ଯାହାକୁ ସଲମାନ ନିଜେ ଶେୟାର କରିଥିଲେ । ଯେତେବେଳେ ସଲମାନଙ୍କୁ ଏହି ଫିଲ୍ମର ଅଫର ମିଳିଥିଲା ଓ ସେ ଶୁଟିଂ ଆରମ୍ଭ କରିଥିଲେ ସେତେବେଳେ ସେ ଖୁବ୍ ପତଳା ଥିଲେ । ଫଳରେ ସେ ଅନେକ ସମୟରେ ଅପସେଟ୍ ରହୁଥିଲେ । ଏକ ସାକ୍ଷାତ୍‌କାରରେ ଏ ସମ୍ପର୍କରେ ସଲମାନ କହିଥିଲେ ‘ମେନେ ପ୍ୟାର ପିୟା’ ସେଟ୍‌ରେ ସେ ପ୍ରାୟ ୩୦ ପଟ ରୁଟି ଓ କିଛି କଦଳୀ ଖାଉଥିଲେ । କାରଣ ଥିଲା ଶୀଘ୍ର ମୋଟା ହେବା । ୧୯୮୯ରେ ନିର୍ମିତ ଏହି ଫିଲ୍ମର ବଜେଟ ଥିଲା ମାତ୍ର ୨ କୋଟି । ଆଉ ଏଥିରେ ଅଭିନୟ ପାଇଁ ସଲମାନଙ୍କୁ ମିଳିଥିଲା ମାତ୍ର ୩୧ ହଜାର ଟଙ୍କା । ହେଲେ ଏହା ବକ୍ସ ଅଫିସରେ ହିଟ୍ ହୋଇଥିଲା ଓ ସମସ୍ତ ରେକର୍ଡ ଭାଙ୍ଗି ୨୮ କୋଟି ଟଙ୍କା ବ୍ୟବସାୟ କରିଥିଲା । ଭାଗ୍ୟଶ୍ରୀଙ୍କର ଏହା ପ୍ରଥମ ଫିଲ୍ମ ଥିବାରୁ ପରିବାର ସଦସ୍ୟଙ୍କର କଡା ଆକଟ ଥିଲା ଯେ ଫିଲ୍ମରେ ସେ ଯେମିତି କୌଣସି କିସିଂ ସିନ୍ ନ କରନ୍ତି । ଏଥିରେ ଭାଗ୍ୟଶ୍ରୀ ପ୍ରଥମଥର ପାଇଁ ଜିନ୍ସ ଓ ୱାନ ପିସ୍ ଡ୍ରେସ୍ ପିନ୍ଧିଥିଲେ ସତ, ହେଲେ ସଲମାନଙ୍କୁ କିସ୍ କରିବାକୁ ଦୁହିଁଙ୍କ ମଧ୍ୟରେ କାଚ ଲଗାଇ ଦିଆଯାଇଥିଲା । ଏହି ଆଇଡିଆ ସେତେବେଳେ ଅବଶ୍ୟ ଭଲ କାମ ଦେଇଥିଲା । ତେବେ ଫିଲ୍ମ ଶୁଟିଂ ସମୟରେ ହିଁ ପରିବାର ସଦସ୍ୟଙ୍କ ବିନା ପରାମର୍ଶରେ ଭାଗ୍ୟଶ୍ରୀ ବିବାହ କରି ନେଇଥିଲେ । ଏହି ବିବାହ ମନ୍ଦିରରେ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ସଲମାନ ଓ ସୁରଜ ବଡଜାତୟା ଯୋଗ ଦେଇଥିଲେ ।

Share