ମୁମ୍ବାଇ,୬।୬: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବା ଘଟଣା ପରେ ମୁମ୍ବାଇ ପୋଲିସ ବର୍ତ୍ତମାନ ଆକ୍ସନ ମୁଡରେ ଆସିଯାଇଛି। ଖୁବ୍ଶୀଘ୍ର ମୁମ୍ବାଇ ପୋଲିସ ଅଭିନେତାଙ୍କ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଜୁନ ୫ ଅର୍ଥାତ୍ ରବିବାର ସକାଳେ ସଲମାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଯେଉଁଥିରେ ସଲମାନଙ୍କୁ ମଧ୍ୟ ସିଧୁ ମୁସେଓ୍ବାଲାଙ୍କ ଭଳି ହତ୍ୟା କରିଦେବୁ ବୋଲି ଲେଖାଥିଲା। ଏହାକୁ ନେଇ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏଥିସହ ଏହି ମାମଲାରେ ପୋଲିସ ୪ଜଣଙ୍କ ବୟାନ ରେକର୍ଡ କରିସାରିଛି। ଏଥିରେ ସଲମାନଙ୍କ ପିତା ସଲିମ ଖାନ ମଧ୍ୟ ସାମିଲ ଅଛନ୍ତି। ସୋମବାର ଅଭିନେତା ସଲମାନଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ରହିଛି। ଅନ୍ୟପଟେ ବାନ୍ଦ୍ରା ବେଣ୍ଡଷ୍ଟାଣ୍ଡ ନିକଟସ୍ଥ ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ।