ଜରିନ ଖାଁଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାଁଙ୍କୁ ନେଇ ଏକ ବଡ ଖବର ଆସିଛି। ଖବର ଅନୁଯାୟୀ, କୋଲକାତାର ସିୟାଲଦହ କୋର୍ଟ ଜରିନଙ୍କ ନାମରେ ଏକ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଅଭିନେତ୍ରୀଙ୍କ ନାଁରେ ଏଠାରେ ଏକ କମ୍ପାନୀ ଅଭିଯୋଗ ଦାଖଲ କରିଥିଲେ।

୨୦୧୮ରେ ୬ଟି ଇଭେଣ୍ଟରେ ଯୋଗ ନ ଦେଇ ଥିବାରୁ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। କୋଲକାତା ଏବଂ ଉତ୍ତର ୨୪ ପ୍ରଗଣାରେ ୬ଟି କାଳୀ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ନାରକେଲଡାଙ୍ଗା ପୋଲିସ ଷ୍ଟେଶନରେ ଏହି ଅଭିଯୋଗ କରାଯାଇଛି। ଏହା ପରେ ନାର୍କେଲଡାଙ୍ଗା ପୋଲିସ ସିୟାଲଦାହ କୋର୍ଟରେ ଚାର୍ଜସିଟ ଉପସ୍ଥାପନ କରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜରିନ ଖାଁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ତାଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।
ଜରିନ ଖାଁ ୨୦୧୦ରେ ସଲମାନ ଖାଁଙ୍କ ସହ ଫିଲ୍ମ ‘ବୀର’ ସହିତ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀ ଫିଲ୍ମ ମାଧ୍ୟମରେ ଅନେକ ଖ୍ୟାତି ମଧ୍ୟ ପାଇଥିଲେ। କିନ୍ତୁ କିଛି ସମୟ ପରେ ଅଭିନେତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ପରିବର୍ତ୍ତେ ଦର୍ଶକ ତାଙ୍କ ଚେହେରାକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ତୁଳନା କରିବା ଆରମ୍ଭ କରିଥିଲେ। ଯାହା ପରେ ଅଭିନେତ୍ରୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଗଲେ।

 

Share