ସଲମାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ୨ ବ୍ୟକ୍ତି, ପୋଲିସ କଲା ଗିରଫ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଅନେକ ଥର ଲରେନ୍ସ ଗ୍ୟାଙ୍ଗ ଦ୍ୱାରା ମୃତ୍ୟୁ ଧମକ ଦିଆଯାଇଥିଲା। ଯେଉଁଥିପାଇଁ ତାଙ୍କର ସୁରକ୍ଷା ଯଥେଷ୍ଟ ବୃଦ୍ଧି କରାଯାଇଥିଲା। ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ମଧ୍ୟ ଦିଆଯାଇଛି। ଏହି ସମୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ଜବରଦସ୍ତ ସଲମାନ ଖାନଙ୍କ ପାନଭେଲ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଉଭୟ ଅଭିଯୁକ୍ତ ଫାର୍ମ ହାଉସରେ ପ୍ରବେଶ କରିବା ପୂର୍ବରୁ ସୁରକ୍ଷା କର୍ମୀ ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଫାର୍ମ ହାଉସର ତାର ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ପୋଲିସ ଏହା ମଧ୍ୟ କହିଛି ଯେ, ଯେତେବେଳେ ଅଭିଯୁକ୍ତ ସଲମାନଙ୍କ ପାନଭେଲ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ଅଭିନେତା ସେଠାରେ ଉପସ୍ଥିତ ନ ଥିଲେ। ବର୍ତ୍ତମାନ ପୋଲିସ ସେମାନଙ୍କୁ ଗିରଫ କରିଛି। ଉଭୟଙ୍କ କାର୍ଯ୍ୟକଳାପ ସନ୍ଦେହଜନକ କିନ୍ତୁ ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ସଲମାନନଙ୍କ ପ୍ରଶଂସକ ବୋଲି କହିଛନ୍ତି। ପୋଲିସ ଉଭୟ ଅଭିଯୁକ୍ତଙ୍କଠାରୁ ନକଲି ପରିଚୟ ପତ୍ର ମଧ୍ୟ ପାଇଛି, ହେଲେ ସେମାନଙ୍କଠାରୁ କୌଣସି ଅସ୍ତ୍ର ଜବତ କରାଯାଇ ନାହିଁ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Share