୨୮ ବର୍ଷ ହେବ ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଶେରା

ମୁମ୍ବାଇ: ସଲମାନ ଖାଁ। ବଲିଉଡର ଏହି ଭାଇଜାନ ତାଙ୍କ ଆଖପାଖର ଲୋକଙ୍କୁ କେତେ ଭଲ ପାଆନ୍ତି ତାହା ହୁଏତ ଅନେକେ ଜାଣିଥିବେ। ତାଙ୍କର ଏହି ନିଃସ୍ବାର୍ଥପର ଭଲପାଇବାରେ ଅନେକ ସଲମାନଙ୍କୁ ନିଜର କରିପାରିଛନ୍ତି। ସଲମାନ ବଲିଉଡରେ ଯେତିକି ଫେମସ ସମାନ ଢଙ୍ଗରେ ତାଙ୍କ ବଡିଗାର୍ଡ ଶେରା ବି ବେଶ ପ୍ରସିଦ୍ଧ। ନିକଟରେ ଶେରା ତାଙ୍କ ଜନ୍ମଦିନ ପାଳନ କରିଥିବା ବେଳେ ଏହି ଅବସରରେ ସଲମାନ ତାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି।
ସଲମାନ ସୋସିଆଲ ମିଡିଆରେ ଶେରାଙ୍କ ସହ ତାଙ୍କର ଏକ ପୁରୁଣା ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସବୁବେଳେ ସେ ଖୁସିରେ ରୁହନ୍ତୁ ବୋଲି ଲେଖିଛନ୍ତି। ସଲମାନଙ୍କ ଏହି ନିଆରା ଶୁଭେଚ୍ଛା ସମସ୍ତଙ୍କ ମନ ଜିତିଛି। ସଲମାନଙ୍କ ପୂର୍ବତନ ପ୍ରେମିକା କୁହାଯାଉଥିବା ସଙ୍ଗିତା ବିଜଲାନି ବି ଶେରାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ପୋଷ୍ଟକୁ ସଲମାନ ଶେରାଙ୍କୁ ବି ଟ୍ୟାଗ କରିଛନ୍ତି।
ଦୀର୍ଘ ପ୍ରାୟ ୨୮ ବର୍ଷ ହେବ ଭାଇଜାନଙ୍କୁ ସୁରକ୍ଷା ଦେଇ ଆସୁଥିବା ଶେରା ବି ସଲମାନଙ୍କ ପ୍ରତି ସେତିକି କୃତଜ୍ଞ। ଥରେ ଏକ ସାକ୍ଷାତକାରରେ ଶେରା କହିଥିଲେ ସଲମାନ ଯେଉଁଠିକି ବି ଯିବେ ଶେରା ସବୁବେଳେ ତାଙ୍କ ପଛରେ ନୁହେଁ ଆଗରେ ଥିବେ। କାରଣ ଯଦି ତାଙ୍କ ଉପରକୁ କିଛି ବିପଦ ଆସିବାର ଥିବ ତେବେ ତାହା ମୋ ଉପରେ ପଡିବ। ସଲମାନ ମୋ ପାଇଁ ଭଗବାନ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କୁ ସୁରକ୍ଷା ଦେଇ ଆସିବି।

Share