ବୋର୍ଡ ଅଛି, ପାଠ ପଢ଼… ଟ୍ରୋଲରଙ୍କୁ ଦଶମରେ ୮୩% ନମ୍ବର ରଖି ଜବାବ ଦେଲେ ‘ମୁନ୍ନି’

ବମ୍ବେ: ସଲମାନ ଖାନ୍‌ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନି ଭୂମିକାରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ଅଭିନେତ୍ରୀ ହର୍ଷାଳି ମଲହୋତ୍ରା। ଏବେ ସେ ବଡ଼ ହୋଇଥିବା ବେଳେ ବୋର୍ଡ ପରୀକ୍ଷା ଦେଇଥିଲେ। ଏଥିରେ ସେ ୮୩% ନମ୍ବର ରଖି ପାସ୍‌ ହୋଇଛନ୍ତି। ହେଲେ ଏକଦା ଟ୍ରୋଲରମାନେ ତାଙ୍କ ପାଠପଢ଼ାକୁ ନେଇ ମଜା ଉଡାଉଥିବାରୁ ସେ ଏବେ ନିଜର ପରୀକ୍ଷାଫଳକୁ ନେଇ ଟ୍ରୋଲରଙ୍କୁ ଜବାବ ଦେଇଛନ୍ତି।

ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରିଛନ୍ତି ହର୍ଷାଳି। ଏଥିରେ ଟ୍ରୋଲର୍‌ଙ୍କ ଅନେକ କମେଣ୍ଟ ରହିଛି। ଗୋଟିଏରେ ‘ବୋର୍ଡ ଅଛି, ପାଠପଢ଼, ରିଲ୍‌ କରି ପରୀକ୍ଷାରେ ପାସ୍‌ ହେବ ନାହିଁ’ ବୋଲି ଜଣେ ଲେଖିଥିବା ଦେଖାଯାଇଛି। ସେହିଭଳି ଅନ୍ୟ ଜଣେ ସାରାଦିନ ରିଲ୍‌ କରୁଛ ନା କ’ଣ? ପାଠ ପଢ଼ୁଛ ନା ନାହିଁ ବୋଲି କହିଛନ୍ତି। ସେହିଭଳି ଅନେକେ ପାଠ ପଢ଼, ଫେଲ୍‌ ହୋଇଯିବ ବୋଲି ମଧ୍ୟ କହିଛନ୍ତି। ହେଲେ ଏବେ ହର୍ଷାଳି ନିଜ ନମ୍ବରରେ ଟ୍ରୋଲର୍‌ଙ୍କ ମୁହଁ ବନ୍ଦ କରିଛନ୍ତି।

ହର୍ଷାଳି ନିଜର କଥକ କ୍ଲାସ, ଶୁଟ୍‌ ଏବଂ ପାଠପଢ଼ା ମଧ୍ୟରେ ସଠିକ ତାଳମେଳ ରଖିଥିଲେ। ଯେଉଁଥିପାଇଁ ପରୀକ୍ଷାଫଳ ଏଭଳି ଆସିଛି। ତେବେ ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ ରଖିଥିଲେ, ସମର୍ଥନ କରିଥିଲେ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

Share