ସଲମାନ ଖାନ୍‌ଙ୍କ ସୁରକ୍ଷା ବଢିଲା

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦିଆଯିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ସଲମାନଙ୍କୁ ରବିବାର ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିଲା। ସୋମବାର କେତେଜଣ ପୋଲିସ ଅଧିକାରୀ ସଲମାନଙ୍କ ଘରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି।
ସଲମାନଙ୍କ ପିତା ସଲିମ ଖାନ୍‌ ରବିବାର ସକାଳେ ବୁଲିବାକୁ ଯାଇଥିଲେ। ସେ କିଛି ସମୟ ବିଶ୍ରାମ ନେବାକୁ ବେଞ୍ଚରେ ବସିଥିବାବେଳେ ତାଙ୍କୁ ସଲମାନଙ୍କ ନାମରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା।
ଏହି ଚିଠିରେ ଲେଖାଥିଲା ଯେ, ସଲମାନଙ୍କ ଅବସ୍ଥା ସିଦ୍ଧୁ ମୂସେୱଲାଙ୍କ ଭଳି କରିଦେବୁ। ସଲିମଙ୍କୁ ଏହି ଚିଠି ରବିବାର ସକାଳ ୭.୩୦ ରୁ ୮.୦୦ ଭିତରେ ମିଳିଥିଲା। ବାନ୍ଦ୍ରା ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ନିକଟରେ ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱଲାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।
ସଲମାନ ନିକଟରେ ଦୁବାଇରେ ଆୟୋଜିତ ଆଇଫା ପୁରସ୍କାରରେ ଯୋଗଦେଇ ମୁମ୍ବାଇ ଫେରିଛନ୍ତି। ସଲମାନ ଖୁବ୍‌ଶୀଘ୍ର ‘ଟାଇଗର-୩’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ୍‌ଙ୍କୁ ଦେଖିବାକୁ ମିଳିବ।

Share