ପ୍ରଶଂସକଙ୍କୁ ସଲମାନ କହିଲେ ମୁଁ ଘରେ ନାହିଁ, ମୋ’ ଘର ସାମ୍ନାରେ ଭିଡ଼ କରିବେନି; କାରଣ…

ମୁମ୍ବାଇ,୨୬ା୧୨: ଆସନ୍ତାକାଲି ଅର୍ଥାତ୍‌ ରବିବାର ଦବଙ୍ଗ ଖାନ୍‌ ସଲମାନ ଖାଁଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଡିସେମ୍ବର ୨୭ରେ ସଲୁ ତାଙ୍କର ୫୫ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ସଲୁଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଶଂସକମାନେ ତାଙ୍କ ଘର ବାହାରେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଆସିପାରନ୍ତି। ତେଣୁ ସଲମାନ ତାଙ୍କ ପ୍ରଶଂସକମାନଙ୍କୁ ଚଳିତବର୍ଷ ନିଜ ଘରେ ରହିବା ସହ କୋଭିଡ୍‌ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି। ସଲମାନ ଏହା ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହି ସମୟରେ ସେ ତାଙ୍କ ଘରେ ରହୁ ନ ଥିବାରୁ ତାଙ୍କ ଘର ବାହାରେ ଭିଡ଼ ହେବାର କୌଣସି କାରଣ ନାହିଁ।

ସଲମାନ ଏକ ବିବୃତ୍ତି ଜାରି କରି କହିଛନ୍ତି, ପ୍ରତିବର୍ଷ ମୋ ଜନ୍ମଦିନରେ ମୁଁ ପ୍ରଶଂସକଙ୍କ ବହୁତ ଭଲପାଇବା ଦେଖିବାକୁ ପାଇଥାଏ। କିନ୍ତୁ କରୋନା ଭୂତାଣୁର କାୟା ବିସ୍ତାର ଏବଂ ଏଥିରୁ ରକ୍ଷା ପାଇବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଦୟାକରି ମୋ ଘର ବାହାରେ କେହି ଭିଡ଼ ଜମାଇବେ ନାହିଁ। ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି ଏହି ବ୍ୟାଚଲର ମ୍ୟାନ। ଏହା ଶୁଣି ସଲମାନଙ୍କ ପ୍ରଶଂସକଙ୍କ ହୃଦୟ ନିଶ୍ଚିତ ଭାଙ୍ଗିଯିବ। ଯେଉଁମାନେ କି ତାଙ୍କ ସୁପରଷ୍ଟାରଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ପ୍ରତିବର୍ଷ ତାଙ୍କ ଘର ନିକଟକୁ ଆସୁଥିଲେ।

ଏ ତ ଗଲା ସଲୁଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି ତାଙ୍କ ଓ୍ବାର୍କ ଫ୍ରଣ୍ଟ ବିଷୟରେ କହିବା ତେବେ ସେ ଆଜିକାଲି ରିୟାଲିଟି ଶୋ’ ବିଗ ବସ୍‌ -୧୪ର ଶୁଟିଂରେ ବ୍ୟସ୍ତ ରହୁଛନ୍ତି। ଏହା ବ୍ୟତୀତ ତାଙ୍କ ଫିଲ୍ମ ‘ରାଧେ’ ୨୦୨୧ରେ ମୁକ୍ତିଲାଭ କରିବ। ଶୁଣିବାକୁ ମିଳୁଛି ସଲମାନ ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ସହ ଫିଲ୍ମ ‘ରାଧେ’ର ରିଲିଜ ତାରିଖ ଶେୟାର କରିବେ। ଏହା ବ୍ୟତୀତ ତାଙ୍କ ଫିଲ୍ମ ‘ଦ ଫାଇନାଲ ଟ୍ରୁଥ୍‌ ମଧ୍ୟ ଚଳିତବର୍ଷ ରିଲିଜ ହେବାକୁ ଯାଉଛି।

Share