Advertisement

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ କାରଣ ସେ ଆଜି ପର୍ଯ୍ୟନ୍ତ ଏକ ଅସରପା ମାରି ନାହାଁନ୍ତି। ଧମକ କେବଳ ଜବରଦସ୍ତି ଟଙ୍କା ଆଦାୟର ବିଷୟ। ଗତ ବର୍ଷ ଠାରୁ ସଲମାନଙ୍କୁ ହତ୍ୟା ଧମକ ମିଳୁଛି। ବିଶେଷକରି ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ଅବସ୍ଥା ଆହୁରି ଖରାପ ହୋଇଯାଇଛି।

ଏକ ସାକ୍ଷାତକାର ସମୟରେ ସଲିମ ଖାନ କହିଛନ୍ତି, କ୍ଷମା ମାଗିବା ହେଉଛି ମୁଁ ହତ୍ୟା କରିଛି। ସଲମାନ କୌଣସି ପ୍ରାଣୀକୁ ହତ୍ୟା କରି ନ ଥିଲେ। ଆମେ କୌଣସି ଅସରପାକୁ ମଧ୍ୟ ଆଜି ପର୍ଯ୍ୟନ୍ତ ହତ୍ୟା କରିନାହୁଁ। ଆମେ ମଧ୍ୟ କେବେ ବି ବନ୍ଧୁକ ବ୍ୟବହାର କରିନାହୁଁ। ସଲମାନ ପଶୁମାନଙ୍କୁ ଭଲ ପାଆନ୍ତି। ତେଣୁ ସେ ହତ୍ୟା କଲେ କୁଆଡୁ, କ୍ଷମା ମାଗିବେ କାହିଁକି ବୋଲି ସଲିମ ପ୍ରଶ୍ନ କରିଛନ୍ତି।

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଅଜିତ ପାୱାର ଏନସିପିର ଭେଟେରାନ ନେତା ବାବା ସିଦ୍ଦିକିଙ୍କୁ ଅକ୍ଟୋବର ୧୨ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ, ତାଙ୍କୁ ତିନି ଜଣ ଶୁଟର ହତ୍ୟା କରିଥିଲେ। ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ମଧ୍ୟ ଚାଲିଛି। ଏଥି ସହିତ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମଧ୍ୟ ମିଳୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share