ଚାଷଜମିରେ ଢେଉ ମାରୁଛି ଲୁଣିପାଣି

ବାହାନଗା, ୧୭।୭ (ଡି.ଏନ.ଏ.) – ଲଘୁଚାପଜନିତ ଲଗାଣ ଝିପି ଝିପି ବର୍ଷା ସାଙ୍ଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ଜୋରରେ ଆସିଥାଏ। ଏହାସହିତ ଉପରମୁଣ୍ଡର ବର୍ଷାଜଳ ବୋହି ଆସ ସମୁଦ୍ରରେ ମିଶଥାଏ। ଜୁଆର ପାଣି ଓ ଉପରମୁଣ୍ଡ ପାଣି ମିଶିବା ପରେ ପୂର୍ଣ୍ଣିମା ପାଇଁ ସମୁଦ୍ର ମଧ୍ୟକୁ ନ ଯାଇ ଉପରକୁ ଉଠି ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଶହ ଶହ ହେକ୍ଟର ଚାଷ ଜମିରେ ମାଡିଯାଇଛି। ଫଳରେ ଏବେ ଚାଷ କିପରି ହେବ ସେହି ଚିନ୍ତାରେ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଏଭଳି ପରିସ୍ଥିତି ଉପୁଜିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଓ ଚିତ୍ତଳ ପଞ୍ଚାୟତରେ। ଅଧିକାଂଶ ରାଜସ୍ବ ଗ୍ରାମରେ ଥିବା ଚାଷଜମିରେ ଲୁଣିପାଣି ଢେଉ ମାରୁଛି।
ଖରାସାହାପୁର ଗ୍ରାମ କଇଁଥଝଟିଆଠାରୁ ରାମପହ୍ଲା ଦେଇ ସମୁଦ୍ର ପାଣି ଚାଷଜମିକୁ ପ୍ରବେଶ କରୁଛି। ତେବେ ଖରାସାହାପୁର, ଅଠିଲାବାଜ, ରାମତାଳି, ବାଉଁଶଆଡିଆ, ରମଧାବରମପୁର ସମେତ ଚିତ୍ତଳ ପଞ୍ଚାୟତର ଛତୁବାଟି, ପାଟିମୁଣ୍ଡା ଆଦି ଗ୍ରାମରେ ଥିବା ଶହ ଶହ ହେକ୍ଟର ଚାଷଜମିରେ ଏବେ ଲୁଣି ପାଣି ମାଡିଯାଇଛି । ଲୁଣିପାଣି ଛାଡିଗଲେ ବି ବିଲରେ ଚାଷ କରିବା ଅସମ୍ଭବ ବୋଲି ଚାଷୀମାନେ କହିଛନ୍ତି। ବିଲରେ ବାଲି ସହିତ ପଟୁ ମାଟି ଭର୍ତ୍ତି ହୋଇଥିବ, ସେଥିରେ ଧାନତଳି ରୋଇଲେ ତାହା ଜଳିଯିବ ବୋଲି ପ୍ରକାଶ କରିଛନ୍ତି। ଲୁଣି ପାଣି ଛାଡିଗଲା ପରେ ଜୋରରେ ଅଧିକ ବର୍ଷା ହେଲେ ବାଲି ସହିତ ପଟୁ ଧୋଇଗଲେ ଚାଷ ହୋଇପାରିବ। ଚାଷୀମାନେ ଚାଷ କରିବା ପାଇଁ ବିଲରେ ତଳି ପକାଇଥିଲେ ମଧ୍ୟ ତାହା ଏବେ ଲୁଣିପାଣିରେ ବୁଡି ରହିଛି। ଏବେ ପୁଣି କେଉଁଠୁ ବିହନ କିଣିବେ ଓ କେବେ ତଳି ପକାଇ ଚାଷକରିବେ ସେହି ଚିନ୍ତାରେ ଚାଷୀକୁଳ ବ୍ୟସ୍ତ ହୋଇପଡିଛନ୍ତି। ତେବେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଡେରିରେ ହେଉଥିବା ଲଘୁଚାପ ବର୍ଷା ଫଳରେ ଚାଷୀମାନେ ଚାଷ କରିବା ପାଇଁ ତପତ୍ର ହୋଇପଡିଛନ୍ତି। ହେଲେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଥିବା ଚାଷଜମିରେ ଲୁଣିପାଣି ମାଡିଯାଇ ଜମିରହିବା ଚାଷୀଙ୍କ ମେରୁଦଣ୍ଡକୁ ଆରମ୍ଭରୁ ଦୋହଲାଇ ଦେଇଛି। ସରକାର ମାଗଣାରେ ବିହନ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।