ଆଜିଠୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୨୧ା୧୧(ଅନିଲ ଦାସ):ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏଥିରେ ମୋଟ୍‌ ୩୦ଟି କାର୍ଯ୍ୟକାରୀ ଦିବସ ରହିଛି। ସେଥିରୁ ୨୪ ସରକାରୀ ଦିବସ ଥିବା ବେଳେ ୬ ବେସରକାରୀ ଦିବସ ରହିଛି। ମାସର ଦ୍ୱିତୀୟ ଓ ଶେଷ ଶନିବାର ଏବଂ ରବିବାର ବ୍ୟତୀତ ନଭେମ୍ବର ୨୭ରେ ପଡୁଥିବା ରାସ ପୂର୍ଣ୍ଣିମା ଏବଂ ଡିସେମ୍ବର ୨୫ ବଡ଼ଦିନ ପାଇଁ ବିଧାନସଭା ବନ୍ଦ ରହିବ। ପ୍ରଥମ ଦିବସରେ ବିଧାନସଭା ଗୃହ କାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ବର୍ଷରେ ୬୦ ଦିନ ଗୃହ ଚାଲିବାକୁ ଥିବାବେଳେ ୩୦ ଦିନ ବାକି ରହିଛି। ଚଳିତ ଅଧିବେଶନ ପାଇଁ ୩୦ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି। ଏହି ଅଧିବେଶନ ବେଶ୍‌ ସରଗରମ ହେବ ବୋଲି ଅନୁମାନ କରାଯାଉଛି। ବିରୋଧୀ ଭାଜପା ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଦୁର୍ନୀତି, ପି.ସି. କାରବାର, ଆଦିବାସୀ ଜମି ହଡପ୍‌ ପାଇଁ ଷଡ଼ଯନ୍ତ୍ର, ଆଇନଶୃଙ୍ଖଳା,କୃଷି ଓ କୃଷକ ସମସ୍ୟା, ରତ୍ନଭଣ୍ଡାର, ସିଏଜି ରିପୋର୍ଟରେ ଦୁର୍ନୀତି, ସ୍ବାସ୍ଥ୍ୟ, ଶିକ୍ଷା, ଦରଦାମ୍‌ ବୃଦ୍ଧି ଆଦି ପ୍ରସଙ୍ଗରେ ବିରୋଧୀ ସରକାରଙ୍କଠାରୁ କୈଫିୟତ ତଲବ କରିବେ ବୋଲି ସୂଚନା ମିଳିଛି। ଶାସକ ଦଳ ମଧ୍ୟ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ସୂଚନା ମିଳିଛି। ସୋମବାର ଭାଜପା ବିଧାୟକ ଦଳ ବୈଠକରେ ନିଜର ରଣନୀତି ଚୂଡାନ୍ତ କରିଥିବାବେଳେ ମଙ୍ଗଳବାର ପୂର୍ବାହ୍ନରେ ଶାସକ ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।

Share