କୋଟିଆରେ ମାର୍କେଟ ଷ୍ଟଲ୍‌ ନିର୍ମାଣ କାର୍ଯ୍ୟ ତଦାରଖକଲେ ସାଲୁର ବିଧାୟକ

ପଟ୍ଟାଙ୍ଗୀ,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତକୁ ହାତେଇବା ଲାଗି ଆନ୍ଧ୍ର ବିଭିନ୍ନ ସମୟରେ କଳକୌଶଳ ପ୍ରୟୋଗ ଜାରି ରଖିଛି। ଶୁକ୍ରବାର ଓଡ଼ିଶା ସୀମାନ୍ତରେ ଅଙ୍ଗନଓ୍ବାଡି ଗୃହ ନିର୍ମାଣ କରୁଥିବା ଆନ୍ଧ୍ରକୁ କୋରାପୁଟ ଜିଲା ପ୍ରଶାସନ ଆବଶ୍ୟକ ଜବାବ ଦେଇଥିଲା। ଜିଲା ଓ ବ୍ଳକ ପ୍ରଶାସନର ଅଧିକାରୀମାନେ ସେଠାରେ ପହଞ୍ଚତ୍ ନିର୍ମାଣ କାର୍ଯ୍ୟ ବନ୍ଦ କରାଇଥିଲେ। ସେଠାରେ ଥିବା ଆନ୍ଧ୍ର ଅଧିକାରୀଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରି ସ୍ଥଳେ ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ସାଲୁର ବିଧାୟକ ପିଡିକା ରାଜନା ସୀମାନ୍ତରେ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ସେ ଶନିବାର କୋଟିଆର ନେରେଡିବାଲସା ଗ୍ରାମରେ ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଥିବା ମାର୍କେଟ ଷ୍ଟଲ୍‌ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟ ତଦାରଖ କରି ଫେରିଛନ୍ତି। ଏହି ଅବସରରେ ସେ କହିଛନ୍ତି, କୋଟିଆ ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ମିଳିନାହିଁ। ଏପରିସ୍ଥଳେ ଶୁକ୍ରବାର ଓଡ଼ିଶା ପକ୍ଷରୁ ଆନ୍ଧ୍ରର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ଠିକ୍‌ ନୁହେଁ ବୋଲି ରାଜନା ପ୍ରକାଶ କରିଥିଲେ।

Share