ସମ୍ବଲପୁର,୧୫ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳ ମଣ୍ଡଳ ଅଧୀନ ରେଙ୍ଗାଲି ରେଳ ଷ୍ଟେଶନରେ ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ ରହଣି କରିବ। ଏହାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁମୋଦନ କରିଛନ୍ତି। ଏ ସମ୍ପର୍କରେ ସେ ରେଙ୍ଗାଲି ବିଧାୟକଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।
ରେଙ୍ଗାଲି ବିଧାୟକ ନାଉରୀ ନାୟକ ୨୦୨୩ ଜୁଲାଇ ୩୧ରେ ଏ ନେଇ ରେଳମନ୍ତ୍ରୀ ବୈଷ୍ଣବଙ୍କୁ ପତ୍ରଲେଖି ନିବେଦନ କରିଥିଲେ। ବିଧାୟକ ନାୟକ କହିଛନ୍ତି, ପଶ୍ଚିମ ଓଡ଼ିଶାରୁ ସିଧାସଳଖ କୋଲକାତାକୁ ଯୋଗାଯୋଗ କରୁଥିବା ସମଲେଶ୍ୱରୀ ଟ୍ରେନ୍ ରହଣି ଫଳରେ ଓଡ଼ିଶାର ଅନ୍ୟତମ ଶିଳ୍ପ କରିଡର ଭାବେ ପରିଚିତ ରେଙ୍ଗାଲିରେ ବ୍ୟବସାୟ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ତାଙ୍କ ଅନୁରୋଧ ରକ୍ଷା କରିଥିବାରୁ ରେଙ୍ଗାଲି ନିର୍ବାଚନମଣ୍ଡଳୀବାସୀଙ୍କ ପକ୍ଷରୁ ବିଧାୟକ ନାୟକ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।