Advertisement

ମହୁମାଛି ଆକ୍ରମଣରେ ୩ ଗୁରୁତର

ଲାଞ୍ଜିଗଡ଼ ୨୬ା୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ରେ ମହୁମାଛିଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ସୂଚନାନୁଯାୟୀ, ଲାଞ୍ଜିଗଡ଼ ରୋଡ୍‌ ଶିବମନ୍ଦିର ନିକଟରେ ଏକ ଜଳଖିଆ ଦୋକାନକରି ଚଳୁଥିବା ରତ୍ନାକର ଗଉଡ଼ ଓ ତାଙ୍କ ସ୍ତ୍ରୀ ଗୋମତୀ ଗଉଡ଼ ଦୋକାନରେ ଜଳଖିଆ ବିକ୍ରି କରୁଥିବାବେଳେ ହଠାତ୍‌ ନିକଟସ୍ଥ ଅଶ୍ୱତ୍‌ଥ ଗଛରୁ ଶହ ଶହ ମହୁମାଛି ଉଡ଼ିଆସି ଉଭୟଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଦମ୍ପତି ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଲାଞ୍ଜିଗଡ ରୋଡ୍‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି କାନକୁଟୁରୁ ପଞ୍ଚାୟତ ବାରଗୁଡା ପ୍ରାଥମିକ ସ୍କୁଲ ଶିକ୍ଷକ ଦିବାକର ବିଭାର ସ୍କୁଲ ଯାଉଥିବା ସମୟରେ ହାତୀଶାଳ ଘାଟିରେ ମହୁମାଛି ଆକ୍ରମଣର ଶିକାର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେହିଭଳି ବେଡା ଗାଁ ଅଙ୍ଗନଓ୍ବାଡି କର୍ମୀ ବାସନ୍ତୀ ମାଝୀଙ୍କ ଘର ସାମ୍ନାରେ ମହୁମାଛି ଉଡ଼ିବୁଲୁଥିବା ବେଳେ ତାଙ୍କ ପରିବାର ସଦସ୍ୟ ଘରକୁ ପଶି ନ ପାରି ପଡୋଶୀ ଘରେ ଆଶ୍ରୟ ନେଇଥିଲେ। ହେଲେ ମହୁମାଛି ଆକ୍ରମଣରେ ତାଙ୍କର ତିନିଗୋଟି ଛେଳିର ମୃତ୍ୟୁ ଘଟିଥିବା ସେ ପ୍ରକାଶ କରିଛନ୍ତି। ଗୁରୁତର ଥିବା ସମସ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel