ସମ୍ବଲପୁର,୨୭ା୨(ବି.ଶଙ୍କର): ସମ୍ବଲେଶ୍ୱରୀ ସ୍ପୋର୍ଟିଂ ଓ ସମ୍ବଲପୁର ଜିଲା କ୍ରୀଡ଼ା ସଂଘ ଆୟୋଜିତ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ମ୍ୟାଚରେ ଜର୍ଜ ଟେଲିଗ୍ରାଫ କୋଲକାତା ବିଜୟୀ ହୋଇଛି । ଏହି ବିଜୟ ସହ କୋଲକାତା ସେମିଫାଇନାଲ ମ୍ୟାଚ୍ ଖେଳିବାର ଯୋଗ୍ୟତା ଅର୍ଜନ କରିଛି।
ଗୁରୁବାର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଜର୍ଜ ଟେଲିଗ୍ରାଫ କୋଲକାତା ଓ ସେଣ୍ଟ ଜର୍ଜ ସ୍ପୋର୍ଟ କ୍ଳବ କେରଳ ମଧ୍ୟରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଅନେକ ସୁଯୋଗ ପାଇଥିବା ସତ୍ତ୍ବେ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ । ଫଳରେ ମ୍ୟାଚ୍ ଗୋଲଶୂନ୍ୟ ହୋଇ ଅମୀମାଂସିତ ରହିଥିଲା। ଏନେଇ ରେଫରୀ ଟାଇବ୍ରେକରର ଆଶ୍ରୟ ନେଇଥିଲେ।
ଏଥିରେ କୋଲକାତା ଦଳ ୪-୨ ଗୋରେ ବିଜୟୀ ହୋଇଥିଲା। ମ୍ୟାଚକୁ ନବୀନ କୁମାର ନାଏକ, ସୁବ୍ରତ ପୁରୋହିତ, ଜିତେନ୍ଦ୍ରିୟ ଥନାପତି ଏବଂ ଉତ୍କଳମଣୀ ବେହେରା ପରିଚାଳନା କରିଥିଲେ। ଦୁର୍ଗା ମାଧବ ନାଏକ ମ୍ୟାଚ କମିଶନର ଥିଲେ। ପୂର୍ବତନ ପୁଟବଲ ଖେଳାଳି ଯୁଗଳ କିଶୋର ସିଂ, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ସମ୍ବଲପୁର ଜିଲା କ୍ରୀଡ଼ା ସଂଘ ସାଧାରଣ ସମ୍ପାଦକ ସୁନିଲ କୁମାର ସାହୁ ଓ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ବଲପୁର ଫୁଟବଲ ଏକାଡେମୀ ସମ୍ପାଦକ ଅତନୁ ଘୋଷ ଉପସ୍ଥିତ ଥିଲେ ।


