ସମ୍ବଲପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେଲେ କୋର୍ଟ

ସମ୍ବଲପୁର,ଜମନକିରା,୧ା୧୦(ପ୍ରମୋଦ ବହିଦାର, ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ କସଡ଼ା ଗ୍ରାମରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି ସମ୍ବଲପୁର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି। ଅଭିଯୁକ୍ତ ହେଲେ କସଡା ଗ୍ରାମର ପ୍ରଶାନ୍ତ ବଘାର(୩୨)। ଏଥିସହ ଅଦାଲତ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ଘଟଣା ଅନୁଯାୟୀ, ୨୦୨୨ ମାର୍ଚ୍ଚ ୨୫ ତାରିଖ ସକାଳେ ନାବାଳିକା(୮ବର୍ଷ) ଜଣକ ଶୌଚ ପାଇଁ ନିଜ ଘର ନିକଟସ୍ଥ ଏକ ପଡ଼ିଆକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ପ୍ରଶାନ୍ତ ତାଙ୍କୁ ବଳପୂର୍ବକ ଟେକି ନେଇ ବଳାତ୍କାର କରିଥିଲେ। ପରେ କୁରାଢ଼ିରେ ନାବାଳିକାଙ୍କୁ ୨ ଗଡ଼ କରି ଦେଇଥିଲେ। ଗାଁ ମଧ୍ୟକୁ କଟା ମୁଣ୍ଡ ନେଇ ନଳକୂପରେ ଧୋଇଥିଲେ। ଗ୍ରାମବାସୀ ଏହା ଦେଖି ଜମନକିରା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଟାମୁଣ୍ଡ ଓ କୁରାଢ଼ିକୁ ଜବତ କରିଥିଲା। ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ ନଂ.୩୨/୨୨ରେ ଦଫା ୩୦୨, ୩୦୧, ୩୭୬(ଏବି), ୩୭୬(ଏ) ପୋକ୍‌ସୋ ଆଇନ ଦଫା ୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ୨୫ ଜଣ ସାକ୍ଷ୍ୟ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଅଭିଯୁକ୍ତଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ।