ସମ୍ବଲପୁର ଉତ୍ତପ୍ତ ସହର

ସମ୍ବଲପୁର,୩ା୬(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟର ଆଭ୍ୟନ୍ତରୀଣ ଜିଲାଗୁଡିକରେ ତାପମାତ୍ରା ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହେଉଛି। ଜରୁରୀ କାମ ନ ଥିଲେ ଲୋକେ ଘରୁ ବାହାରୁନାହାନ୍ତି। ବିଶେଷ କରି ପଶ୍ଚିମଓଡ଼ିଶାର ସମ୍ବଲପୁର ଜିଲାରେ ଗ୍ରୀଷ୍ମର ପ୍ରକୋପ ଅଧିକ ଅନୁଭୂତ ହେଉଛି। ନିୟମିତ ବ୍ୟବଧାନରେ ଏଠାରେ ତାପମାତ୍ରା ରେକର୍ଡ ସୃଷ୍ଟି କରୁଥିବା ଦେଖାଯାଉଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଶୁକ୍ରବାର ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ଏଠିକାର ତାପମାତ୍ରା ୪୪. ୪ ଡିଗ୍ରୀ ସେଲ୍‌ସିୟସ ରହିଥିଲା। ସେହିପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାର ଅନ୍ୟ ୧୨ ଗୋଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା। ଆଗାମୀ ୫ଦିନ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମତାତି ଲାଗି ରହିବ ବୋଲି ଅଶା କରାଯାଉଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ସମ୍ବଲପୁରରେ କର୍ଫ୍ୟୁ ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ସକାଳ ୯ଟାରୁ ରାସ୍ତାଘାଟ ଶୂନ୍‌ଶାନ୍‌ ଲାଗୁଥିଲା। ଗ୍ରାମାଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଥିଲା। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ପଶ୍ଚିମ ଓଡ଼ିଶାର ସୋନପୁରରେ ୪୪, ବୌଦ୍ଧ ୪୪, ଝାରସୁଗୁଡ଼ା ୪୩.୮, ହୀରାକୁଦ ୪୩.୬, ବଲାଙ୍ଗୀର ୪୩.୩, ରାଉରକେଲା ୪୩.୨, ସୁନ୍ଦରଗଡ ୪୩, ଭବାନୀପାଟଣା ୪୨.୬, ଟିଟଲାଗଡ ୪୨.୩, ବରଗଡ ୪୨, ନୂଆପଡ଼ାରେ ୪୧.୫ ଡିଗ୍ରୀ ସେଲ୍‌ସିୟସ ରହିଥିଲା।

Share