ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ବିରୋଧ ତେଜିଲା

ସମ୍ବଲପୁର,୯ା୮(ବ୍ୟୁରୋ): ସମ୍ବଲପୁର-ରୋଡ୍‌ ଷ୍ଟେଶନ ବନ୍ଦ କରିବା ପ୍ରକ୍ରିୟା କିଛିଦିନ ବନ୍ଦ ହେବା ପରେ ୨ଦିନ ହେଲା ପୁଣି ଆରମ୍ଭ ହୋଇଛି। ଏହାକୁ ନେଇ ସହରରେ ଅସନ୍ତୋଷ ଦେଖାଦେଇଛି। ସୋମବାର ଏହାର ଉଗ୍ରରୂପ ଦେଖିବାକୁ ମିଳିଥିଲା। ୫ଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଶୋଭାଯାତ୍ରା କରି ଏହାର ପ୍ରତିବାଦ କରିଥିଲେ। ଏହି ଅବସରରେ ସମ୍ବଲପୁର ରୋଡ୍‌ (ଫାଟକ) ଷ୍ଟେଶନରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଆବାହକ ସପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା।
ବିକ୍ଷୋଭକାରୀ ଅଭିଯୋଗ କରିଥିଲେ, ଏହି ଷ୍ଟେଶନ ଐତିହ୍ୟସମ୍ପନ୍ନ। ସ୍ବାଧୀନତା ପୂର୍ବରୁ ୧୮୯୦ ମସିହାରେ ଏହା ନିର୍ମାଣ ହୋଇଥିଲା। ଏହାକୁ ବିକାଶ ନ କରି ବନ୍ଦ ଯୋଜନା କରାଯାଉଛି। ଏବେ ଷ୍ଟେଶନରେ ଟିକେଟ କାଉଣ୍ଟର, ଯାତ୍ରୀ ପ୍ରତୀକ୍ଷାଳୟ ଭଳି ସମସ୍ତ ସୁବିଧା ରହିଛି। ଏହା ଉପରେ କେବଳ ସମ୍ବଲପୁର ନୁହେଁ ଆଖପାଖ ଜିଲାବାସୀ ନିର୍ଭର କରନ୍ତି। ଏ ନେଇ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପିୟୁଷ ଗୋଏଲଙ୍କୁ ଅଭିଯୋଗ କରାଯାଇଛି। ସେମାନେ ଏହାକୁ ଐତିହ୍ୟ ଷ୍ଟେଶନ ଭାବେ ରଖାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା ନ କରି ବିଭାଗ ପୁଣି କାମ ଆରମ୍ଭ କରିଦେଇଛି। ପୂର୍ବରୁ ୨୦୨୧ ମାର୍ଚ୍ଚରେ ରେଳ ବିଭାଗ, ପ୍ରଶାସନ ଓ ଆନ୍ଦୋଳନ କମିଟି ମିଳିତ ବୈଠକ କରାଯାଇ ଆଲୋଚନା ହୋଇଥିଲା। ରେଲ ଲାଇନ କାମରେ ସମସ୍ୟା ନ ହୋଇ କିଭଳି ଷ୍ଟେଶନକୁ ସୁରକ୍ଷିତ ରଖାଯାଇପାରିବ ସେ ନେଇ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏବେ ବଳପୂର୍ବକ ଭାବେ ରେଳ ବିଭାଗ କାମ ଆରମ୍ଭ କରିଛି। ଏହା ବନ୍ଦ କରା ନ ଗଲେ ଆଗାମୀ ଦିନରେ ରେଳରୋକୋ, ରାସ୍ତାରୋକୋ, ସମ୍ବଲପୁର ବନ୍ଦ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ପରେ ଜିଲାପାଳ ଓ ଆର୍‌ଡିସିଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ବହିଦାର, ସୁବ୍ରତ ପଣ୍ଡା, ଜିଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ, ସତ୍ୟନାରାୟଣ ପଣ୍ଡା, ନାଟୁଗୋପାଳ ପାତ୍ର, ସଞ୍ଜୟ ବାବୁ, ଜିଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ଭାଜପା ଜିଲା ସଭାପତି ଗିରିଶ ପଟେଲ, ଭାବାନୀ ଶଙ୍କର ଦାସ, ଭୁପେନ ସାହୁଙ୍କ ସମେତ ଫାଟକ ଷ୍ଟେଶନ ସଂଘର୍ଷ କମିଟି ସଦସ୍ୟ ଓ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share