ବନ୍ଦ ହେବ ସମ୍ବଲପୁର ରୋଡ୍‌ ଷ୍ଟେଶନ

ସମ୍ବଲପୁର,୧୧ା୩ (ବ୍ୟୁରୋ):ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍‌ ୧୮୯୦ ମସିହାରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ ଚିଫ୍‌ ଅପରେଶନ ମ୍ୟାନେଜରଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳକୁ ମଧ୍ୟ ଏ ନେଇ ଅବଗତ କରାଯାଇଛି। ସମ୍ବଲପୁର-ଅନୁଗୋଳ ରେଳପଥ ଦୋହରୀକରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ପୂର୍ବରୁ ୧୯୯୨-୯୩ରେ ଷ୍ଟେଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ବିରୋଧ କରାଯିବାରୁ ଏହାକୁ ସ୍ଥଗିତ ରଖାଯାଇ ଷ୍ଟେଶନ ଭିତ୍ତିଭୂମିର ବିକାଶ କରାଯାଇଥିଲା। ବର୍ତ୍ତମାନର ଏହି ନିଷ୍ପତ୍ତି ପ୍ରଚାର ହେବା ପରେ ଜନ ଅସନ୍ତୋଷ ଦେଖାଦେଇଛି।
ପ୍ରାୟ ୧୨୮ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି ଐତିହାସିକ ଷ୍ଟେଶନ ବନ୍ଦ ହେବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ପ୍ରଥମେ ଡାକ ଓ ସାମଗ୍ରୀ ନେବା ପାଇଁ ଏହି ଷ୍ଟେଶନକୁ ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଟ୍ରେନ ରହଣି ହେବାରୁ ଯାତ୍ରୀମାନଙ୍କ ଯାତାୟାତ ସୁବିଧା କରାଯାଇଥିଲା। ସହରର ମୁଖ୍ୟ ସ୍ଥାନରେ ଷ୍ଟେଶନ ଥିବାରୁ ରାତିଅଧରେ ମଧ୍ୟ ଲୋକେ ଯିବାଆସିବାରେ ସୁରକ୍ଷିତ ମନେକରନ୍ତି। ଏବେ ଷ୍ଟେଶନରେ ଟିକେଟ କାଉଣ୍ଟର, ଯାତ୍ରୀ ପ୍ରତୀକ୍ଷାଳୟ ଭଳି ସମସ୍ତ ସୁବିଧା ରହିଛି। ତେଣୁ କେବଳ ସମ୍ବଲପୁର ନୁହେଁ, ଆଖପାଖ ଜିଲାବାସୀ ମଧ୍ୟ ଏହି ଷ୍ଟେଶନ ଉପରେ ନିର୍ଭର କରନ୍ତି। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁର-ଅନୁଗୋଳ ରେଳପଥ ୧୯୯୮ମସିହାରେ ଆରମ୍ଭ ହୋଇଥିଲା। ଗୋଟିଏ ରେଳ ଲାଇନ୍‌ରେ ଏବେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି। ପ୍ରତିଦିନ ହାରାହାରି ୩୦ରୁ ଅଧିକ ଟ୍ରେନ ଯିବାଆସିବା କରିଥାଏ। ସମ୍ବଲପୁର ରେଳମଣ୍ଡଳର ପ୍ରମୁଖ ବ୍ୟବସାୟ ସ୍ଥଳ ହେଉଛି ଅନୁଗୋଳ। ଏହି ଷ୍ଟେଶନରୁ ଅଧିକ ରାଜସ୍ବ ଆଦାୟ ହୋଇଥାଏ। ଗୋଟିଏ ଲାଇନ୍‌ ଥିବାରୁ ମାଲବାହୀ ଟ୍ରେନ ଓ ଯାତ୍ରୀ ଟ୍ରେନ ଯିବାଆସିବାରେ ସମସ୍ୟା ହେଉଛି। ଯଦି ମାଲ ପରିବହନ ଟ୍ରେନକୁ ଅଗ୍ରାଧିକାର ଦିଆଯାଉଛି ତା’ହେଲେ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଏଭଳି ସମସ୍ୟା ଯୋଗୁ ସମ୍ବଲପୁର-ଅନୁଗୋଳ ରେଳପଥକୁ ଦୋହରୀକରଣ ଓ ଉନ୍ନତୀକରଣ ଯୋଜନା କରି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଦୋହରୀକରଣ କାମ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ବସିଲାଣି। ହେଲେ ସମ୍ବଲପୁର ରୋଡ୍‌ ଷ୍ଟେଶନ ବାଧା ସୃଷ୍ଟି କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।

Share