ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଆତ୍ମାହୁତି ଘଟଣା: କୁଳପତିଙ୍କ ସମେତ ୩ ଜଣଙ୍କୁ ଆଗୁଆ ଜାମିନ

କଟକ ଅଫିସ, ୩ା୭: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣାରେ ଶୁକ୍ରବାର କୁଳପତି ପ୍ରଫେସର ସଞ୍ଜୀବ ମିତଲ, ୱାର୍ଡନ ବିଶ୍ୱଜିତ୍‌ ଶତପଥୀ ଓ ସହକାରୀ ନିର୍ଦ୍ଦେଶକ(କ୍ରୀଡା) ଅବିନାଶ କରଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଗତ ଏପ୍ରିଲ ୧୫ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠା ନିକଟ ଗଛଗୁଡିକୁ କାଟି ପୋଡ଼ି ଦିଆଯିବାନେଇ ମିତଲ ଓ ଦୀନବନ୍ଧୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ଏପ୍ରିଲ ୨୦ରେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀନବନ୍ଧୁ କିରୋସିନ ଢାଳି ଆତ୍ମାହୁତି ଦେଇଥିଲେ। ସେଠାରୁ ତାଙ୍କୁ ଏସ୍‌ସିବି ମେଡିକାଲ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। କୁଳପତିଙ୍କ ଯୋଗୁ ଏପରି ଘଟିଥିବା ଦୀନବନ୍ଧୁଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ସେହିପରି କୁଳପତି ତାଙ୍କୁ ଗାଳିଗୁଲଜ କରିଥିବା ନେଇ ଦୀନବନ୍ଧୁ ମୃତ୍ୟୁ ପୂର୍ବରୁ ସୁଇସାଇଡ୍‌ ନୋଟରେ ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ତାହାକୁ ପୋଲିସ ଜବତ କରିଥିଲା। ତେବେ ଏହି ଘଟଣାରେ ୩ଜଣଙ୍କ ସମ୍ପୃକ୍ତି ରହିଥିବା ନେଇ ଉକ୍ତ ସୁଇସାଇଡ୍‌ ନୋଟରେ ଉଲ୍ଲେଖ ରହିଥିବା ପୋଲିସ ଜାଣିବାକୁ ପାଇଥିଲା।

Share