ଚିରନିଦ୍ରାରେ ‘ଶଲାବୁଢ଼ା’ ଫେମ୍‌ ଅଭିନେତା

ଭୁବନେଶ୍ୱର/ସୋନପୁର(ବ୍ୟୁରୋ, ନି.ପ୍ର.)୫।୬: ଲୋକପ୍ରିୟ ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ ଫେମ୍‌ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତି ୩ଟା ୪୫ ମିନିଟ୍‌ରେ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ସାନ ପୁଅ ଅରୁଣ ପଣ୍ଡା ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ସେପ୍ଟିମିଆ ରୋଗରେ ସେ ପୀଡ଼ିତ ଥିଲେ। ଜୁନ ୧ରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭିମ୍‌ସାର ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବୁର୍ଲାର ମହାନଦୀ ଘାଟରେ ଅଟଳଙ୍କ ଅନ୍ତିମ ସଂସ୍କାର କରାଯିବ। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ କଳା ଜଗତ ପାଇଁ ଏକ ଯୁଗର ଅବସାନ ଘଟିଛି। ତାଙ୍କ ମୃତ୍ୟୁରେ ସବୁ ମହଲରେ ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାର ଜଣେ ପରିଚିତ ଚେହେରା ହେଉଛନ୍ତି ଅଟଳ ବିହାରୀ ପଣ୍ଡା। ୧୦୦ରୁ ଅଧିକ ନାଟକରେ ଅଭିନୟ କରିବା ସହ ସେ ଏକାଧିକ ନାଟକର ରଚନା ବି କରିଥିଲେ। ସେ ଜଣେ ନାଟ୍ୟ ନିର୍ଦ୍ଦେଶକ, ଲେଖକ ଓ କବି। ଦୀର୍ଘ ଦିନର ଅଭିନୟ କ୍ୟାରିୟର୍‌ ପରେ ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ରେ ଅଭିନୟ କରିଥିଲେ। ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏଥିସହ ସେ ‘ଶଲାବୁଢ଼ାର ବଦଲା’ ଓ ‘ଆଦିମ ବିଚାର’ ଫିଲ୍ମରେ ବି ସେ ଅଭିନୟ କରିଥିଲେ। ‘ଶଲାବୁଢ଼ା’ ଫିଲ୍ମରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଅଟଳଙ୍କୁ ଜାତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ସେହିପରି ପରିଣତ ବୟସରେ ଅଭିନୟ କରି ଅଟଳ ୨ଥର ରାଜ୍ୟର ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ମେ’ ୧୬ରେ ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ଲଳିତା ପଣ୍ଡାଙ୍କର ପରଲୋକ ଘଟିଥିଲା। ପତ୍ନୀଙ୍କ ମୃତ୍ୟୁପରେ ସେ ଭାଙ୍ଗିପଡ଼ିଥିଲେ, ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିଥିଲା।

Share