ସମ୍ବଲପୁରୀ ଗାୟିକା ରୁକ୍‌ସାନାଙ୍କ କବର ଖୋଳିବାକୁ ଦେଲେନି ପରିବାର ଲୋକେ, ଫେରିଆସିଲେ ମାଜିଷ୍ଟ୍ରେଟ୍‌-ପୋଲିସ

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୯ ତାରିଖ ଭୁବନେଶ୍ୱରସ୍ଥିତ ଏମ୍ସରେ ମୃତ୍ୟୁ ହୋଇଥିଲା। ସ୍କ୍ରବ୍‌ ଟାଇଫସ୍‌ରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା ବେଳେ ତାଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଥିଲେ।

ବଲାଙ୍ଗୀରରେ ଆଲବମ୍‌ ଶୁଟିଂ ସମୟରେ ରୁକ୍‌ସାନାଙ୍କୁ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ଦିଆଯାଇଥିବା ଜୁସ୍‌ରେ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଥିବା ଓ ଏଥିରେ ସମ୍ବଲପୁରୀ ଗାୟକ ରୁକ୍‌ସାନା ଓ ତାଙ୍କ ୨ ସହଯୋଗୀଙ୍କ ହାତ ରହିଥିବା ଅଭିଯୋଗ ଆଣି ତାଙ୍କ ନାମରେ ଗତ ସୋମବାର ସନ୍ଧ୍ୟାରେ ରୁକ୍‌ସାନାଙ୍କ ମା’ ସାହିଦା ବେଗମ ଭବାନୀପାଟଣା ଟାଉନ ଥାନାରେ ଏକ ୮ ପୃଷ୍ଠା ବିଶିଷ୍ଟ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପରେ ପୋଲିସ ପ୍ରକୃତରେ ରୁକ୍‌ସାନାଙ୍କ ମୃତ୍ୟୁ କେଉଁ କାରଣରୁ ହେଇଛି ତାହା ପାଇଁ କବର ଖୋଲି ମୃତଦେହ ବ୍ୟବଚ୍ଛେଦ କରିବାକୁ ଚାହିଁଥିବାବେଳେ କବର ସ୍ଥାନରେ ଏହାକୁ ବିରୋଧ କରିଥିଲେ। ରୁକ୍‌ସାନାଙ୍କ ମା’ ସାହିଦା ବେଗମ ଓ ଭଉଣୀ ରୁବି। ପୋଲିସକୁ ଗାଳି କରିବା ସହ କବର ଖୋଲିଲେ ପୋଲିସ ଉପରେ କେସ କରିବେ ବୋଲି କହିଥିଲେ। ଭବାନୀପାଟଣା ସଦର ଥାନା ଓ ଟାଉନ ଥାନା ପୋଲିସ ତାଙ୍କ ମା’ଙ୍କୁ ବୁଝାଇବାରେ ଅସଫଳ ହେବା ପରେ ଘଟଣାସ୍ଥଳରେ ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ଓ ମାଜିଷ୍ଟ୍ରେଟ୍‌ ଯୋଗେଶ୍ୱର ସାହୁ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ବୁଝାଶୁଝା କରିଥିଲେ। ହେଲେ ଜିଦରେ ରହିଥିଲେ ରୁକ୍‌ସାନାଙ୍କ ମା’ ଓ ଭଉଣୀ। ଏହି ମାମଲାକୁ ସିବିଆଇକୁ ଦିଆଗଲେ ସେତେବେଳେ କବର ଖୋଲିବାକୁ ଅନୁମତି ଦେବୁ ବୋଲି କହିଥିଲେ ରୁକ୍‌ସାନାଙ୍କ ଭଉଣୀ ରୁବି। ଯାହାଫଳରେ ନିରାଶ ହୋଇ ଘଟଣାସ୍ଥଳରୁ ପୋଲିସ ଓ ମାଜିଷ୍ଟ୍ରେଟ୍‌ ଫେରିଆସିଥିଲେ।

Share