ଶେଷ ହେଲା ସମ୍ବଲପୁରୀ ଦିବସ ପାଳନ ପ୍ରସ୍ତୁତି

ଝାରସୁଗୁଡ଼ା ଅଫିସ,୩୦।୭: ଝାରସୁଗୁଡ଼ା ସହରର ଏକ ହୋଟେଲ ପ୍ରେକ୍ଷାଳୟରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଝାରସୁଗୁଡା ପକ୍ଷରୁ ଜିଲା ସଂଯୋଜକ ରାଜେଶ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୧ ତାରିଖରେ ‘ସମ୍ବଲପୁରୀ ଦିନ’ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି ବୋଲି ସମ୍ମିଳନୀରେ କୁହାଯାଇଛି।

ସଭାରେ ସମ୍ବଲପୁରୀ ଭାଷା, ସଂସ୍କୃତି, ନାଟ୍ୟ, କଳା, ପଶ୍ଚିମାଞ୍ଚଳ ଲୋକ ନୃତ୍ୟ, ଶବ୍ଦ ନୃତ୍ୟ ସଂଗୀତକୁ ପ୍ରସାର ପ୍ରଚାର କରିବାରେ ଗୁରୁ ସ୍ବର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ପ୍ରମୁଖ ଅବଦାନ ପାଇଁ ଉକ୍ତ ଦିନକୁ ସମ୍ବଲପୁରୀ ଦିନ ଭାବେ ପାଳନ କାରାଯାଉଛି ବୋଲି ମଞ୍ଚ ପକ୍ଷରୁ କୁହାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିରରେ କୌତୁକ ପୋଷାକ ପ୍ରତିଯୋଗୀତା, ଅଗଷ୍ଟ ୧ ତାରିଖରେ ସକାଳ ୯ଟାରୁ କନକ ଦୁର୍ଗା ମନ୍ଦିରରୁ ମଙ୍ଗଳବଜାର କ୍ରୀଡ଼ା ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା, ରଙ୍ଗୋଲି କାର୍ଯ୍ୟକ୍ରମ, ୧୧ଟାରେ ଉଦ୍‌ଘାଟନୀ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ସୁବାଷ ପ୍ରଧାନଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନାଟକ ‘କାଠ ର ଚୌକି’, ଅପରାହ୍ନରେ ସମ୍ବଲପୁରୀ କବିତା ଆସର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସନ୍ଧ୍ୟାରେ ସମ୍ବଲପୁରୀ ଫେସନ ‘ଶୋ’ ସ୍ଥିର କରାଯାଇଛି। କାଯ୍ୟକ୍ରମରେ ଜିଲା ପ୍ରଶାସନ ସମେତ ବିଭିନ୍ନ ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଛନ୍ତି। ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର, କଳାକାର ମୁନିଆ ପାଣିଗ୍ରାହୀ, ରୋଶନ ଭାରଦ୍ୱାଜ, ଚଳଚିତ୍ର ନିର୍ଦ୍ଦେଶକ ମନୋଜ ମିଶ୍ର, ଗାୟିକା ରାଜଶ୍ରୀ ତ୍ରିପାଠୀ, ରାଇଝାଇ କଳାକାରଙ୍କ ସମେତ ଅନେକ ସେଲିବ୍ରିଟି ଯୋଗ ଦେବାର କାଯ୍ୟକ୍ରମ ରହିଛି । ଉଦ୍‌ଘାଟିନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଜିଲାପାଳ ସରୋଜ ସାମଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଖବରଦାତା ସମ୍ମିଳନୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଉପଦେଷ୍ଟା, ମନୋରଞ୍ଜନ ମହାପାତ୍ର, ଜିଲା ଅର୍ଥ ସଂଯୋଜକ ବିବେକା ନନ୍ଦ ମିଶ୍ର, କେନ୍ଦ୍ରୀୟ କମିଟି ସଭ୍ୟ ଅଜିତ କୁମାର ରଥ, ମହିଳା ସଭାପତି ସୁଜାତା ମିଶ୍ର, ଟାଉନ ସଭାପତି ଲିଙ୍ଗରାଜ ମହାପାତ୍ର, ସାସ୍କୃତିକ ସଂଯୋଜକ ଆଲୋକ ଚନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା ଆରତୀ ପଣ୍ଡା କାର୍ଯ୍ୟକ୍ରମର ବିଭିନ୍ନ ସୂଚନା ଦେଇଥିଲେ। ସତ୍ୟନାରାୟଣ ପଣ୍ଡା, ଉମେଶ ବେହେରା, ମିତେନ ରାଉତ, ବସନ୍ତ ରୋହିଦାସ, ଶୁଭମ ବେଶନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।