ପ୍ଲାଜମା ଦାନ କଲେ ଭାଜପା ନେତା ସମ୍ବିତ

ଗୁରୁଗ୍ରାମ,୬।୭: କରୋନା ଭାଇରସ ସଂକ୍ରମଣକୁ ଦୂରେଇ ଦେବାକୁ ଏବେ ସମସ୍ତେ ଆଗେଇ ଆସୁଛନ୍ତି। ଏପର୍ଯ୍ୟନ୍ତ କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନ ଥିବା ବେଳେ ପ୍ଲାଜମା ଥେରାପିରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ସମ୍ବିତ ପାତ୍ର ବ୍ଲଡ ପ୍ଲାଜମା ଦାନ କରିଛନ୍ତି। ହରିୟାଣା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସେ ପ୍ଲାଜମା ଦାନ କରିଛନ୍ତି। ଏହାପରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେଉଁମାନେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଯାଇଛନ୍ତି ଓ ଏବେ ସୁସ୍ଥ ଅଛନ୍ତି ସେମାନେ ପ୍ଲାଜମା ଦାନ କରି ଅନ୍ୟ ରୋଗୀଙ୍କୁ ସାହାଯ୍ୟ କରନ୍ତୁ। ପ୍ଲାଜମା ଦାନ କରି ଆମେ ଅନ୍ୟ କାହାର ଅମୂଲ୍ୟ ଜୀବନକୁ ରକ୍ଷା କରି ପାରିବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସମ୍ବିତ କିଛିଦିନ ତଳେ କରୋନାରେ ପୀଡ଼ିତ ଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। କେବଳ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ହିଁ ଅନ୍ୟ ଜଣେ କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିପାରିବ ବୋଲି ଚିକିତ୍ସା ବିଜ୍ଞାନୀମାନେ କହିଛନ୍ତି।

Share