Categories: ଜାତୀୟ

ସମଲିଙ୍ଗୀ ବିବାହ ମାମଲା ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୨ା୫(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ ଦାବିରେ ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଉକ୍ତ ମାମଲା ଉପରେ ୧୦ ଦିନ ଧରି ଶୁଣାଣି କରିଥିଲେ। ଉକ୍ତ ପୀଠରେ ଜଷ୍ଟିସ୍‌ ଏସ୍‌.କେ. କୌଲ, ଏସ୍‌.ଆର୍‌. ଭଟ୍ଟ, ହିମା କୋହଲି, ପି.ଏସ୍‌. ନରସିଂହ ରହିଛନ୍ତି। ଆବେଦନକାରୀମାନଙ୍କ ତରଫରୁ
ବରିଷ୍ଠ ଆଇନଜୀବୀ ଏ.ଏମ୍‌. ସିଙ୍ଘଭି, ରାଜୁ ରାମଚନ୍ଦ୍ରନ, କେ.ଭି. ବିଶ୍ୱନାଥନ୍‌, ଆନନ୍ଦ ଗ୍ରୋଭର ଏବଂ ସୌରଭ କୃପାଳ ଯୁକ୍ତି ଉପସ୍ଥାପନ କରିଥିଲେ। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ କୌଣସି ସାମ୍ବିଧାନିକ ଘୋଷଣା ଠିକ୍‌ କାର୍ଯ୍ୟପନ୍ଥା ହୋଇ ନ ପାରେ ବୋଲି ବୁଧବାର ଶୁଣାଣି ବେଳେ କେନ୍ଦ୍ର ସରକାର କହିଥିଲେ।

Share