ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ ସୁଦ୍ଧା ଦଳ ସମୀରଙ୍କୁ ଟିକେଟ ଦେବା ନେଇ ପୁନଃବିଚାର ନ କଲେ ବିଜେଡିରୁ ସମୂହ ଇସ୍ତଫା ଦେବେ ବୋଲି କହିଛନ୍ତି ସମୀରଙ୍କ ସମର୍ଥକ। ସେ ସ୍ବାଧୀନ ଭାବେ ଲଢିବେ ବୋଲି ଆହୁରି ଚେତାବନୀ ଦେଇଛନ୍ତି ସମୀରଙ୍କ ସମର୍ଥକ ତଥା ନିମାପଡା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ ।

ସେପଟେ ପରୋକ୍ଷରେ ସମୀର ଏହାକୁ ସମର୍ଥନ ମଧ୍ୟ କରିଛନ୍ତି । ବୈଠକରେ ଉପସ୍ଥିତ ସମୀର ଦାଶ ନିଜ ସମର୍ଥକଙ୍କୁ ନିମାପଡା ପ୍ରାର୍ଥିତ୍ୱ ନେଇ କହିଛନ୍ତି, ସମୀର ଦାଶ ନଚେତ, ସଙ୍ଗୀତା ଦାସ ପ୍ରାର୍ଥୀ ହେଲେ ଗ୍ରହଣୀୟ । ତେବେ ଏଥିରେ ତୃତୀୟ ଲୋକ ଗ୍ରହଣୀୟ କି ବୋଲି ପ୍ରଶ୍ନରେ ସମୀରଙ୍କ ସମର୍ଥକ ନା ବୋଲି କହୁଥିବା ଦେଖିବାକୁ ମିଳିଛି ।

ନିମାପଡାର ଏକ ଘରୋଇ ମଣ୍ଡପରେ ସମୀର ଦାଶଙ୍କ ସମେତ ନିମାପଡା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ, ନିମାପଡା ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ନିମାପଡା ଓ ଗୋପର ୪୬ଟି ପଞ୍ଚାୟତର ବିଜେଡି ସଭାପତି, ନିମାପଡା NACର ୧୧ଟି ୱାର୍ଡର ବିଜେଡି ସଭାପତି ଓ ଦଳର ଅନ୍ୟାନ୍ୟ କାର୍ଯ୍ୟକାର୍ତ୍ତା ମାନେ ଏହି ବୈଠକରେ ଯୋଗଦେଇଥିଲେ ।

ସୂଚନାଥାଉ କି, ନିମାପଡା ବିଜେଡି ସମୀର ଦାସଙ୍କ ଟିକେଟ କାଟି ଦିଲୀପ ନାୟକଙ୍କୁ ଟିକେଟ ଦେଇଛି । ତେବେ ସମୀର ଓ ତାଙ୍କ ସମର୍ଥକଙ୍କ ଦାବିକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Share