Categories: ଜାତୀୟ

ଦିନେ ଶାହରୁଖଙ୍କୁ ଅଟକାଇଥିଲେ

ମୁମ୍ବାଇ,୨୭।୧୦: ଡ୍ରାଗ୍ସ ମାମଲାରେ ଛନ୍ଦି ହୋଇଥିବା ଆର୍ଯ୍ୟନ ଖାନଙ୍କୁ ବୁଧବାର ମଧ୍ୟ ଜାମିନ ମିଳିନାହିଁ। ତାଙ୍କ ନିକଟରୁ କୌଣସି ଡ୍ରାଗ୍ସ ମିଳି ନ ଥିଲା। ଏହାସତ୍ତ୍ୱେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କୋର୍ଟରେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରୁଛି। କୌତୁହଳର କଥା ହେଉଛି, କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ଗିରଫ କରିଥିବା ଏନ୍‌ସିବିର ଆଞ୍ଚଳିକ ଅଧିକାରୀ ସମୀର ଓ୍ବଙ୍ଖଡେ ଏକଦା ବଲିଉଡ ଷ୍ଟାର ଶାହରୁଖ ଖାନଙ୍କୁ ପଚରାଉଚରା କରିଥିଲେ।

ଦଶନ୍ଧି ତଳେ ଶାହରୁଖଙ୍କୁ ମୁମ୍ବାଇର ବିମାନ ବନ୍ଦରରେ ଅଟକାଇଥିଲେ ସମୀର। ବଲିଉଡ୍‌ ଷ୍ଟାରଙ୍କୁ କଷ୍ଟମ ଡ୍ୟୁଟି ଦେବାକୁ ସେ ବାଧ୍ୟ କରିଥିଲେ। ୨୦୧୧ ଜୁଲାଇରେ ହୋଲାଣ୍ଡ ଓ ଲଣ୍ଡନ ଟ୍ରିପ ଶେଷ କରି ମୁମ୍ବାଇ ଫେରିଥିଲେ ଶାହରୁଖ ଓ ତାଙ୍କ ପୂରା ପରିବାର। ବିଦେଶରୁ ଆଣିଥିବା ସାମଗ୍ରୀର ତାଲିକା ଦେଇ ନ ଥିଲେ ଶାହରୁଖ। ଏଥିଯୋଗୁ ସେତେବେଳେ ବିମାନ ବନ୍ଦରରରେ କଷ୍ଟମର ଆସିଷ୍ଟାଣ୍ଟ କମିଶନର ଥିବା ସମୀର ଶାହରୁଖଙ୍କୁ ଅଟକାଇଥିଲେ।

ସାଥିରେ ୨୦ ବ୍ୟାଗ ଆଣିଥିବା ଶାହରୁଖଙ୍କୁ କିଛି ଘଣ୍ଟା ଧରି ପଚରାଉଚରା କରିଥିଲେ। ଓ୍ବାଙ୍ଖଡେଙ୍କ ଟିମର ସଦସ୍ୟମାନେ ତାଙ୍କ ଲଗେଜ ମଧ୍ୟ ଯାଞ୍ଚ କରିଥିଲେ। ଶେଷରେ କଷ୍ଟମ ବାବଦକୁ ୧.୫ ଲକ୍ଷ ଟଙ୍କା ଦେବା ପରେ ଶାହରୁଖଙ୍କ ପରିବାରକୁ ବିମାନ ବନ୍ଦରରୁ ଛଡ଼ା ଯାଇଥିଲା।

Share