୩ ସନ୍ତାନ ପାଇଁ ରଦ୍ଦ ହେଲା ସମିତିସଭ୍ୟ ପଦ

ଚଣ୍ଡିଖୋଲ,୨୧।୫(ଡି.ଏନ.ଏ.):ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଭୁଷଣ୍ଡପୁର ପଞ୍ଚାୟତର ସମିତିସଭ୍ୟ ଜଗନ୍ନାଥ ମୁଦୁଲିଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। ଚଣ୍ଡିଖୋଲ କୋର୍ଟର ସବ୍‌ଜଜ ସୌଭାଗ୍ୟ ରଞ୍ଜନ ସ୍ବାଇଁ ତାଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି। ଗତ ୧୭ ତାରିଖରେ ଏହି ପଞ୍ଚାୟତ ସମିତିସଭ୍ୟ ନିର୍ବାଚନୀ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇଥିଲା। ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ। ଶନିବାର ସବ୍‌ଜଜ୍‌ ଏହି ମାମଲାର ରାୟ ଶୁଣାଇବା ସହିତ ସେଠାରେ ପୁନର୍ବାର ନିର୍ବାଚନ କରାଯିବ ବୋଲି ମତ ରଖିଛନ୍ତି।
ଅନୁଯାୟୀ, ୨୦୨୨ ଫେବୃୟାରୀ ୧୮ରେ ଏହି ପଞ୍ଚାୟତରେ ଭୋଟ ଗ୍ରହଣ ହୋଇଥିଲା। ସମିତିସଭ୍ୟ ପାଇଁ ୩ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ୱିତା ହୋଇଥିଲା। ଏଥିରେ ଜଗନ୍ନାଥ ବିଜୟୀ ଘୋଷିତ ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ ମହେଶ୍ୱର ବେହେରା ଜଗନ୍ନାଥଙ୍କ ୩ ସନ୍ତାନ ଥିବା ସତ୍ତ୍ବେ କିପରି ସେ ନିର୍ବାଚନ ଲଢ଼ିଲେ ବୋଲି ପ୍ରଶ୍ନ ଉଠାଇଥିଲେ ଓ ପରେ ଚଣ୍ଡିଖୋଲ କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟରେ ନଂ.୨/୨୨ରେ ଏକ ନିର୍ବାଚନୀ ମାମଲା ଚାଲିଥିଲା। ସାକ୍ଷ୍ୟପ୍ରମାଣ ସହ ଓଡ଼ିଶା ପଞ୍ଚାୟତ ସମିତି ଆକ୍ଟ ୧୯୫୯ ଓ ସେକ୍ସନ ୪୫(ଭି) ଅନୁଯାୟୀ ମିଥ୍ୟା ତଥ୍ୟ ପ୍ରଦାନ ଏବଂ ତା:୨୧ା୪ା୧୯୯୫ ପରେ ୨ ସନ୍ତାନରୁ ଅଧିକ ଥିଲେ ସଭ୍ୟ ପଦ ରଦ୍ଦ ହେବା ନିୟମକୁ ଆଧାର କରି ସବ୍‌ଜଜ ଜଗନ୍ନାଥଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି। ମହେଶ୍ୱରଙ୍କ ପକ୍ଷରୁ ଆଡ୍‌ଭୋକେଟ ସୁରେଶ ଚନ୍ଦ୍ର ପଣ୍ଡା ଓ ଜଗନ୍ନାଥଙ୍କ ପକ୍ଷରୁ ଆଡ୍‌ଭୋକେଟ ଶଶାଙ୍କ ଶତପଥୀ ମାମଲା ପରିଚାଳନା କରୁଥିଲେ।

Share