ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍‌ଫୁଟ୍‌ରେ ବିଜେଡି

ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବ୍ଳକ୍ ର ୧୪ ଜଣ ସମିତିସଭ୍ୟା/ସଭ୍ୟ। ଶୁକ୍ରବାର ଅପରାହ୍ନରେ ଭବାନୀପାଟଣାରେ ପହଞ୍ଚି ଏ ସଂପର୍କରେ ସେମାନେ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଯାହାକୁ ନେଇଁ ଜିଲାରେ ଏବେ ଚର୍ଚ୍ଚା ଜୋର ଧରିଛି।

ସମିତିସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ଥୁଆମୁଳ ରାମପୁର ବ୍ଲକରେ ଗତ ଦେଢ ବର୍ଷରୁ ଉର୍ଦ୍ଧ ହେବ ପଞ୍ଚାୟତ ସମିତି ବୈଠକ କରାଯାଇନାହିଁ । କେଉଁ ସ୍ୱାର୍ଥରେ ଏହି ବୈଠକ କରାଯାଉନଥିବା ତାହା ସେମାନେ ଜାଣି ପାରୁନାହାନ୍ତି। ଏହାଦ୍ୱାରା ସେମାନେ ନିଜ ଅଞ୍ଚଳର ସମସ୍ୟା ବିଷୟରେ ପଞ୍ଚାୟତ ସମିତି ବୈଠକରେ ଅବଗତ କରିପାରୁନାହାନ୍ତି। ସ୍ଥାନୀୟ ପଞ୍ଚ।ୟତ ସମିତି ଅଧ୍ୟକ୍ଷ ତାଙ୍କ ମନମାନି କାର୍ଯ୍ୟ କରୁଥିବା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଖସଡା ତିଆରି କରି ମନଇଚ୍ଛା କାର୍ଯ୍ୟ ଚଲାଇଥବା ଅଭିଯୋଗ ଆଣିଛନ୍ତି।

ତେଣୁ ସେମାନେ ( ବିଜେଡି ସମର୍ଥିତ) ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀଙ୍କ ନେତୃତ୍ବରେ ସମିତିସଭ୍ୟ ମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଜିଲାପାଳ ଉପସ୍ଥିତ ନ ଥିବାରୁ ଦାୟିତ୍ବରେ ଥିବା ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ ଏହାକୁ ଗ୍ରହଣ କରିଥିଲେ। ପ୍ରକାଶ ଯେ, ଥୁଆମୂଲ ରାମପୁର ବ୍ଲକରେ ସମୁଦାୟ ୨୪ଟି ପଞ୍ଚାୟତ ରହିଛି । ସେଥମରୁ ବର୍ତ୍ତମାନ ୧୪ ଜଣ ସମିତିସଭ୍ୟ/ ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

ଏ ନେଇଁ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣିନାହିଁ ବୋଲି କହିବା ସହ ନିର୍ବାଚନ ଆଚରଣ ବିଧି ଯୋଗୁଁ ପଞ୍ଚା।ୟତ ସମିତି ବୈଠକ ହୋଇନଥିଲା। ଯାହାକି ଆଜି ପଞ୍ଚାୟତ ସମିତି ବୈଠକ ହୋଇଥିଲା। ସେମାନେ କାହା ପ୍ରରୋଚନାରେ ସେଠାକୁ ଯାଇଥିବେ ବୋଲି କହିଛନ୍ତି।

Share