ବ୍ଲକ ଅଧ୍ୟକ୍ଷକଙ୍କ ନାମରେ ପୁଣି ଅନାସ୍ଥା ଆଣିଲେ ସମିତିସଭ୍ୟ,ସରପଞ୍ଚ

ଭବାନୀପାଟଣା/ଥୁଆମୁଳ ରାମପୁର, ୮।୧୦(ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅଧ୍ୟକ୍ଷଙ୍କ ନାମରେ ପୁଣି ଅନାସ୍ଥା ଅଭିଯୋଗ ଆସିଛି। ଗତ ୨୭ ତାରିଖରେ ବ୍ଳକ୍ ର କେତେକ ସମିତିସଭ୍ୟା/ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣି ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗ ପତ୍ରରେ ଏକ ତୃତୀୟାଂଶ ସଂଖ୍ୟା ନ ଥିବାରୁ ଏହା ଖାରଜ ହୋଇଯାଇଥିଲା। ଯାହାଫଳରେ ମଙ୍ଗଳବାର ଦ୍ଵିତୀୟ ଥର ପାଇଁ ବ୍ଲକ ଅଧ୍ୟକ୍ଷ ନାମରେ ସ୍ଥାନୀୟ ସମିତିସଭ୍ୟା/ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣି ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି।

ପୂର୍ବରୁ କେବଳ ସମିତି ସଭ୍ୟ ରହିଥିବାବେଳେ ଏଥର କିନ୍ତୁ ତାଙ୍କ ସହ ବ୍ଳକ୍ ର ସରପଞ୍ଚ ମାନେ ମଧ୍ୟ ରହିଛନ୍ତି। ଅଭିଯୋଗ ଅନୁଯାୟୀ, ଥୁଆମୁଳ ରାମପୁର ବ୍ଲକରେ ସଠିକ ହିସାବରେ ପଞ୍ଚାୟତ ସମିତି ବୈଠକ ହେଉନାହିଁ। ଏବେ ଦେଢ ବର୍ଷରୁ ଉର୍ଦ୍ଧ ପରେ ଗତ କିଛିଦିନ ତଳେ ପଞ୍ଚାୟତ ସମିତି ବୈଠକ ହୋଇଥିଲା। ଏଥିରେ ପୁଣି ବ୍ଳକ ଅଧ୍ୟକ୍ଷ ଉପସ୍ଥିତ ନ ଥିଲେ। କେଉଁ ସ୍ୱାର୍ଥରେ ସଠିକ ହିସାବରେ ଏହି ବୈଠକ କରାଯାଉନଥିବା ତାହା ସେମାନେ ଜାଣି ପାରୁନାହାନ୍ତି। ଏହାଦ୍ୱାରା ସେମାନେ ନିଜ ଅଞ୍ଚଳର ସମସ୍ୟା ବିଷୟରେ ପଞ୍ଚାୟତ ସମିତି ବୈଠକରେ ଅବଗତ କରିପାରୁନାହାନ୍ତି।

ସ୍ଥାନୀୟ ପଞ୍ଚ।ୟତ ସମିତି ଅଧ୍ୟକ୍ଷ ତାଙ୍କ ମନମାନି କାର୍ଯ୍ୟ କରୁଥିବା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଖସଡା ତିଆରି କରି ମନଇଚ୍ଛା କାର୍ଯ୍ୟ ଚଲାଇଥବା ଅଭିଯୋଗ ଆଣିଛନ୍ତି। ସେହିପରି କେହି ଅଭିଯୋଗ କଲେ ସେମାନଙ୍କୁ ନାଲି ଆଖି ଦେଖାଉଛନ୍ତି। ଯାହାଫଳରେ ସେମାନେ ( ବିଜେଡି ସମର୍ଥିତ) ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀଙ୍କ ନେତୃତ୍ବରେ ସମିତିସଭ୍ୟ ଓ ସରପଞ୍ଚ ମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଜିଲାପାଳ ଉପସ୍ଥିତ ନ ଥିବାରୁ ଏହାକୁ ସହକାରୀ ଜିଲାପାଳ ଗ୍ରହଣ କରିଥିଲେ। ପ୍ରକାଶ ଯେ, ଥୁଆମୁଳ ରାମପୁର ବ୍ଲକରେ ସମୁଦାୟ ୨୪ଟି ପଞ୍ଚାୟତ ରହିଛି ।

Share