ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଏକ ଭିନ୍ନ ପରମ୍ପରା ଦେଖାଯାଏ। ଏଠାରେ ସଂସ୍କୃତ ରାମାୟଣର ଚରିତ୍ର (ଅଷ୍ଟବୀର)ଙ୍କୁ ସମ୍ପାତି ଚଢ଼େଇ ଉପରେ ବସାଯାଇ ଉପାସନା କରାଯାଏ। ଏହି ଅଷ୍ଟବୀର ହେଲେ ସୁଗ୍ରୀବ, ଅଙ୍ଗଦ, ନଳ, ନୀଳ, ହନୁମାନ, ଜାମ୍ବବାନ, ସୁଶେଣ ଓ ଗନ୍ଧମାଦନ। ରାମାୟଣରେ ଘଟିଥିବା ଘଟଣାକୁ ଦୁର୍ଗାପୂଜାରେ ସାମିଲ କରି ଐତିହ୍ୟକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ଏହି ପରିକଳ୍ପନା। ପୁରୀ ସାତବଖରା ଜାଗା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ନିଆରା ପରମ୍ପରା ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ସାଜିଛି। ସମ୍ପାତି ହେଉଛି ଜଟାୟୁର ଭାଇ ତଥା ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭକ୍ତ। ଐତିହ୍ୟ ରହିଛି ଅଷ୍ଟବୀରଙ୍କୁ ସମ୍ପାତି ନିଜ ପିଠିରେ ବହନ କରି ଲଙ୍କାରେ ପହଞ୍ଚାଇ ଦେଇଥିଲା। ସେହି ସ୍ମୃତି ସ୍ବରୂପ ଶ୍ରୀକ୍ଷେତ୍ରରେ ଏହି ସମ୍ପାତି ଉପାସନା ହୋଇଆସୁଛି। ସମ୍ପାତି ଉପରେ ଯେଉଁମାନେ ବସିଛନ୍ତି ସେମାନେ ରାମାୟଣର ଜଣେ ଜଣେ ବୀର ଓ କୁଶଳୀ ଚରିତ୍ର। ନଳ ଏବଂ ନୀଳ ହେଉଛନ୍ତି ସେତୁବନ୍ଧ ପ୍ରତିଷ୍ଠାର ମୁଖ୍ୟ କର୍ଣ୍ଣଧାର। ସେମାନଙ୍କୁ ରାମାୟଣରେ ସ୍ଥପତି ଭାବେ ଅଭିହିତ କରାଯାଇଛି। ଏଥିସହ ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ଏମାନଙ୍କ ଘନିଷ୍ଠତା ମଧ୍ୟ ରହିଛି। ସେହି ବୀରତ୍ୱର ପ୍ରତୀକମାନଙ୍କୁ ଶକ୍ତିମନ୍ତ୍ରରେ ଶାରଦୀୟ ପୂଜାରେ ଉପାସନା କରାଯାଉଛି।