ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଏବେ ବିଶ୍ୱରେ ମଙ୍କିପକ୍ସ ଭୂତାଣୁକୁ ନେଇ ଆତଙ୍କ ଲାଗି ରହିଛି। ଓଡ଼ିଶାରେ ମଧ୍ୟ ଛନକା ପଶିଛି। ତେବେ ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଏଥିପାଇଁ ଆମେ ସତର୍କ ରହିଛୁ। କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କିପକ୍ସ ଚିହ୍ନଟ ହୋଇ ନାହିଁ। ଜ୍ୱର ହେବା, ଦେହ ମୁଣ୍ଡ ବ୍ୟଥା ହେବା ଓ ଦେହସାରା ଫଳିଯିବା, ଘା’ ହେବା ଆଦି ମଙ୍କିପକ୍ସର ଲକ୍ଷଣ। ଏଭଳି କିଛି ଲକ୍ଷଣ ଥିଲେ ପୁଣେକୁ ପରୀକ୍ଷା ଲାଗି ନମୁନା ପଠାଯିବ। ତା’ପରେ ମଙ୍କିପକ୍ସ ହୋଇଛି ନା ନାହିଁ ଜଣାପଡ଼ିବ ବୋଲି ସେ କହିଛନ୍ତି।
ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେ କିଛିଦିନ ପୂର୍ବରୁ ନାଇଜେରିଆରୁ ଫେରିଥିଲେ। ବର୍ତ୍ତମାନ ନାଇଜେରିଆରୁ ଟେକ୍ସାସ ଆସିବା ବାଟରେ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ସେ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି। ଏହି ଭୂତାଣୁ ଏତେ ପ୍ରଭାବୀ ହୋଇ ନ ଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବା ଆଶଙ୍କା ରହିଛି। ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। କରୋନା ଭୂତାଣୁ ଭଳି ‘ମଙ୍କିପକ୍ସ’ ଭୂତାଣୁ ମଧ୍ୟ ନିଃଶ୍ୱାସ ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ। ହେଲେ କରୋନା ପାଇଁ ସମସ୍ତେ ବିମାନରେ ମାସ୍କ ପିନ୍ଧିଥିବାରୁ ‘ମଙ୍କିପକ୍ସ’ ଭୂତାଣୁ କାହା ଶରୀରକୁ ପ୍ରବେଶ କରିପାରି ନ ଥିବ ବୋଲି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଆଶା କରୁଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ‘ମଙ୍କିପକ୍ସ’ ଏକ ବିରଳ ରୋଗ। ଏହା ମଧ୍ୟ ଓ ପଶ୍ଚିମ ଆଫ୍ରିକାର ଦୁର୍ଗମ ଅଞ୍ଚଳରେ ଦେଖାଯାଏ। ଏହି ଭୂତାଣୁ ପଶୁଙ୍କ ଶରୀରରେ ବାସ କରନ୍ତି। କିନ୍ତୁ ବେଳେବେଳେ ଏହା ପଶୁଙ୍କଠାରୁ ମଣିଷଙ୍କ ଶରୀରକୁ ବ୍ୟାପିଥାଏ। ଏହା ପୂର୍ବରୁ ୨୦୦୩ରେ ଆମେରିକାରେ ‘ମଙ୍କିପକ୍ସ’ରେ ୪୭ଜଣ ଆକ୍ରାନ୍ତ ହୋଇଥିଲେ।