ବୟସ ମାତ୍ର ୨ ବର୍ଷ: ହେଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ସମ୍ପୂର୍ଣ୍ଣା

ଉମରକୋଟ,୧।୮(ସ୍ବ.ପ୍ର.): ଉପାନ୍ତ ଅଞ୍ଚଳରେ ବିରଳ ପ୍ରତିଭାଙ୍କ ବୟସ ୨ ବର୍ଷ ମାତ୍ର। ହେଲେ ତାଙ୍କ ପାଟିରୁ ବାହାରୁଛି ଅନେକ ଜଟିଳ ପ୍ରଶ୍ନର ଉତ୍ତର। କୌଣସି ବସ୍ତୁ, ରଙ୍ଗ, ଆକାର, ଜୀବଜନ୍ତୁ, ପଶୁପକ୍ଷୀଙ୍କ ଶବ୍ଦ ଓ ଭଜନ, ବିପରୀତ ଶବ୍ଦ, ଗୀତ ଆଦି ସେ ନିର୍ଭୁଲ୍‌ କହିପାରନ୍ତି। ତାଙ୍କ ସ୍ମରଣ ଶକ୍ତି ଆଗରେ ଅଧିକ ବୟସର ପିଲାମାନେ ମଧ୍ୟ ହାରିଯିବେ। ଏଭଳି ଜଣେ ବିସ୍ମୟ ଶିଶୁ ହେଲେ ନବରଙ୍ଗପୁର ଜିଲା ଉମରକୋଟ ସହର ଗୁଲିପାଟଣା ଅଞ୍ଚଳର ପୂର୍ଣ୍ଣିମା ପଟ୍ଟନାୟକ ଏବଂ ସମୀର ଗନ୍ତାୟତଙ୍କ ଏକମାତ୍ର ଝିଅ ସମ୍ପୂର୍ଣ୍ଣା। ତାଙ୍କ ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି।

ତୁଳସୀ ଦୁଇପତ୍ରରୁ ବାସିଲା ଭଳି ସମ୍ପୂର୍ଣ୍ଣାଙ୍କ ପ୍ରତିଭା ତଥା ସ୍ମରଣଶକ୍ତି ପିଲାଟି ଦିନରୁ ହିଁ ବାରି ହୋଇଥିଲା। ଯେକୌଣସି ପ୍ରଶ୍ନ ତାଙ୍କୁ ପଚାରିଲେ ସଙ୍ଗେସଙ୍ଗେ ସେ ଉତ୍ତର ଦିଅନ୍ତି। ମା’, ବାପା ଠିକ୍‌ ସମୟରେ ତାଙ୍କ ପ୍ରତିଭା ପରଖି ଉତ୍ସାହିତ କରିଥିଲେ। ଏବେ ସମ୍ପୂର୍ଣ୍ଣା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବାର ଗୌରବ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ବିଷୟରେ ବାପା ସମୀର ଅନ୍‌ଲାଇନରୁ ଜାଣିବା ପରେ ଝିଅକୁ ପ୍ରସ୍ତୁତ କରାଇଥିଲେ। ୨୦୨୧ ଜୁନ୍‌ ୧୦ରେ ପ୍ରତିଯୋଗିତା ପାଇଁ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଅନୁଷ୍ଠାନ ପକ୍ଷରୁ ଶିଶୁଟିର ସମସ୍ତ ପ୍ରତିଭା ନେଇ ସଂସ୍ଥା ତଥ୍ୟ ମାଗିଥିଲା। ଏହାକୁ ଆଧାରକରି ସମ୍ପୂର୍ଣ୍ଣାଙ୍କ ବାପା ଝିଅର ୨୦ଟି ଭିଡିଓ ପଠାଇଥିଲେ। ଏହା ଦେଖିବା ପରେ ଅନୁଷ୍ଠାନ ପକ୍ଷରୁ ଭିଡିଓ କଲ୍‌ ମାଧ୍ୟମରେ ସମ୍ପୂର୍ଣ୍ଣାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେ ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର ଦେଇପାରିଥିଲେ। ଉକ୍ତ ପ୍ରଶ୍ନ ମଧ୍ୟରେ ୪୬ଟି ପଶୁଙ୍କ ନାମ, ୨୦ ପକ୍ଷୀର ନାମ, ୧୮ ପ୍ରକାର ପରିବା, ୧୮ ପ୍ରକାର ଫୁଲ, ୧୭ ପ୍ରକାର ଫଳ,୧୧ ରଙ୍ଗ,୧୧ ଆକାର, ୬ କୀଟପତଙ୍ଗ, ୮ ଖାଦ୍ୟ ପଦାର୍ଥର ନାମ ରହିଛି।

Share