ପାଟନା,୨୮।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ଦଳର ଅନେକ ନେତାଙ୍କ ଘରେ ସିବିଆଇ ଏବଂ ଇଡି ଦ୍ୱାରା ଚଢାଉ କରାଯାଇଛି। ଏହି ଚଢାଉ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କେନ୍ଦ୍ର ସରକାର ତଥା ଅନୁସନ୍ଧାନକାରୀ ସଂସ୍ଥା ଉପରେ ବାରମ୍ବାର ଟାର୍ଗେଟ କରୁଛନ୍ତି। ସେ ମଧ୍ୟ ସିବିଆଇ ଏବଂ ଇଡି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଭାଜପା ନେତା ସମ୍ରାଟ ଚୌଧୁରୀ ତେଜସ୍ବୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ରବିବାର ସମ୍ରାଟ ଚୌଧୁରୀ କହିଛନ୍ତି, ତେଜସ୍ବୀ ଯାଦବ ହାଫ୍ପ୍ୟାଣ୍ଟ ପିନ୍ଧି ନ ଥିବା ବେଳେ ସିବିଆଇର ପଦାର୍ପଣ ହୋଇଥିଲା। ତାଙ୍କ ବିଷୟରେ ଅଧିକ କ’ଣ କହିବି।
୧୯୯୬ରେ ବିହାରରେ ସିବିଆଇର ପଦାର୍ପଣ ହୋଇଥିଲା। ସେତେବେଳେ ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିଲେ। କେନ୍ଦ୍ରରେ ଜନତା ଦଳର ଦେବ ଗୌଡା ସରକାର ରହିଥିଲେ। ଲାଲୁଙ୍କ ବିରୋଧରେ ଆବେଦନ କରିଥିବା ଶିବାନନ୍ଦ ତିୱାରୀ ଏବଂ ଲଲାନ ସିଂ ଏବେ ତାଙ୍କ ଦଳ ସହ ଅଛନ୍ତି। ସିବିଆଇ ଏବଂ ଇଡିର ଖେଳ ତାଙ୍କ ଶାସନ କାଳରେ ଆରମ୍ଭ ହୋଇଥିଲା।