Categories: ଖେଳ

ଅଡୁଆରେ ସାମୁଏଲ୍‌ ଇଟୋ

ଦୋହା, ୭।୧୨(ଏପି): କାମେରୁନ୍‌ ଫୁଟ୍‌ବଲ ମହାସଂଘ ସଭାପତି ତଥା ପୂର୍ବତନ ଷ୍ଟାର ଖେଳାଳି ସାମୁଏଲ ଇଟୋ ଅଡୁଆରେ ପଡ଼ିଯାଇଛନ୍ତି। ସୋମବାର ରାତିରେ ଦକ୍ଷିଣ କୋରିଆ ବିପକ୍ଷରେ ବ୍ରାଜିଲର ୪-୧ ଗୋଲ ବିଜୟ ମ୍ୟାଚ ପରେ ଷ୍ଟାଡିୟମ ୯୭୪ ବାହାରେ ପ୍ରଶଂସକଙ୍କ ସହ ଫଟୋ ପାଇଁ ପୋଜ୍‌ ଦେଉଥିବା ବେଳେ କ୍ୟାମେରା ଧରିଥିବା ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ସେ ଉତ୍ତ୍ୟକ୍ତ ହୋଇ ଏହି ବ୍ୟକ୍ତିଙ୍କୁ ଲାତ ମାରି ତଳେ ପକାଇ ଦେଇଥିଲେ। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। କାମେରୁନ୍‌ ଫୁଟ୍‌ବଲ ମହାସଂଘର ସଭାପତି ଭାବେ ଇଟୋ କାତାର ଆସିଛନ୍ତି। ତାଙ୍କ ଦଳ ଗତ ସପ୍ତାହରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ଫିଫା ଲିଜେଣ୍ଡ୍ସ ପ୍ରୋଗ୍ରାମର ଅଂଶ ବିଶେଷ ସ୍ବରୂପ ସେ ୨୦୧୯ରୁ କାତାର ବିଶ୍ୱକପ୍‌ ଆୟୋଜକ କମିଟିରେ ଜଣେ ଗ୍ଲୋବାଲ ଲିଗାସି ଆମ୍ବାସାଡର ଭାବେ ପ୍ରତିନିଧିତ୍ୱ କରୁଛନ୍ତି। ସୋମବାର ରାତିରେ କେଉଁ କାରଣରୁ ଇଟୋ ଗେମ୍‌ରେ ଉପସ୍ଥିତ ଥିଲେ ତାହା ଅସ୍ପଷ୍ଟ। କାତାରୀ ଆୟୋଜକ କହିଛନ୍ତି ଗେମ୍‌ ପାଇଁ ତାଙ୍କୁ ଅତିଥି କରାଯାଇ ନ ଥିଲା। ଫିଫା ପକ୍ଷରୁ ଏନେଇ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। କାମେରୁନ୍‌ ମହାସଂଘର ମୁଖପାତ୍ରଙ୍କୁ ଏ ବିଷୟରେ ପଚରାଯିବାରେ ସେ ନୀରବତା ଅବଲମ୍ବନ କରିଛନ୍ତି। ପୁନଶ୍ଚ ବିଶ୍ୱକପ୍‌ର ଦେଖାଚାହାଁ କରିବା ଲାଗି ଗଠିତ କାତାରର ସର୍ବୋଚ୍ଚ ବିତରଣ ଓ ଉତ୍ତରାଧିକାରୀ କମିଟି ଏବଂ ସରକାର ଘଟଣାଟିକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ସୂଚନାଯୋଗ୍ୟ, ଇଟୋ ୧୯୯୮ ଓ ୨୦୧୪ ମଧ୍ୟରେ କାମେରୁନ୍‌ ତରଫରୁ ୪ଥର ବିଶ୍ୱକପ୍‌ ଖେଳିଛନ୍ତି। ବର୍ଷକ ପୂର୍ବେ ସେ କାମେରୁନ୍‌ ଫୁଟ୍‌ବଲ ମହାସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।
ଇତିମଧ୍ୟରେ ଫ୍ରେଞ୍ଚ୍‌ ଓ ଇଂଲିଶ ଟ୍ବିଟର ଆକାଉଣ୍ଟରେ ଇଟୋ ତାଙ୍କ ବକ୍ତବ୍ୟକୁ ପୋଷ୍ଟ କରିଛନ୍ତି। ମୋ ସହିତ ଝଗଡ଼ା କରିଥିବା ବ୍ୟକ୍ତି ଜଣକ ସମ୍ଭବତଃ ଜଣେ ଆଲଜେରିଆ ସମର୍ଥକ। ମାର୍ଚ୍ଚରେ ସେମାନଙ୍କ ବିଶ୍ୱକପ୍‌ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ପରଠାରୁ ଏହି ଦେଶର ସମର୍ଥକମାନେ କାମେରୁନ୍‌ ପଛରେ ପଡ଼ିଯାଇଛନ୍ତି। ଇଟୋ କ୍ରୋଧ ପ୍ରକାଶ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ତାଙ୍କ ପ୍ରକୃତ ଚରିତ୍ର ନୁହେଁ ବୋଲି କହିଛନ୍ତି। ଇଟୋ ଯେଉଁ ବ୍ୟକ୍ତିଙ୍କୁ ଲାତ ମାରି ତଳେ ପକାଇ ଦେଇଥିଲେ ସେ ଆଲଜୋରିଆର ଜଣେ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ସଇଦ ମାମୋନି। ସେ ପରେ ୟୁଟ୍ୟୁବ୍‌ରେ ଏକ ଭଡିଓ ଛାଡ଼ିଥିଲେ। ଏଥିରେ ସେ କହିଥିଲେ, ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସେ ନିଜେ। ସେ ବର୍ତ୍ତମାନ କାତାରି ପୋଲିସ ଷ୍ଟେଶନରେ ଇଟୋଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାୟର କରିବାକୁ ଯାଉଛନ୍ତି। ସାମୁଲ ତାଙ୍କ ସହିତ ଝଗଡ଼ା କରିଥିଲେ। ସେ ଓ ତାଙ୍କର ଜଣେ ସାଥୀ ମୋତେ ଠେଲି ଦେଇଥିଲେ। ସେ ଆହୁରି ମଧ୍ୟ ମୋ କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ଖବର ଅନୁସାରେ କାମେରୁନ୍‌ ଓ ଆଲଜେରିଆ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ବିବାଦୀୟ ଥିଲା। ଏଥିରେ କାମେରୁନ ଦ୍ୱିତୀୟ ଲେଗ୍‌ ଶେଷମୁହୂର୍ତ୍ତରେ ୨-୧ ଗୋଲରେ ଜିତିଥିଲା। ଏଥିସହିତ ଦଳ ଆଓ୍ବେ ଗୋଲ୍‌ ନିୟମାନୁସାରେ ଦଳ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିଥିଲା।

Share